ଭାଇରାଲ୍ ଫଟୋର ରହସ୍ୟ: ରାହୁଲଙ୍କ ସହ ଏହି ଶିଶୁ କିଏ, କଂଗ୍ରେସ କାହିଁକି କଲା ସେୟାର?

କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୂର୍ବତନ ସେନାପତି ଜେନେରାଲ ଏମ.ଏମ. ନରବଣେଙ୍କ ନୂଆ ପୁସ୍ତକ ଓ ଭାରତ–ଅମେରିକା ବାଣିଜ୍ୟ ସମ୍ମତିକୁ କେନ୍ଦ୍ର କରି ଏବେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲକ୍ଷ୍ୟବସ୍ତୁ କରୁଛନ୍ତି। ସଂସଦ ଠାରୁ ରାସ୍ତାଘାଟ ପର୍ଯ୍ୟନ୍ତ, ରାହୁଲ ଏହାକୁ ନେଇ ମୋଦୀ ସରକାରଙ୍କ ଉପରେ ତୀବ୍ର ଆକ୍ରମଣ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷ୍ୟରେ, କଂଗ୍ରେସ ଦଳ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ନୂଆ ଫଟୋ ପ୍ରକାଶ କରିଛି, ଯାହା ଦର୍ଶକମାନଙ୍କ ଧ୍ୟାନ ଆକର୍ଷିତ କରୁଛି। ଫଟୋରେ ଦେଖାଯାଉଛି—ଏକ ଶିଶୁ ରାହୁଲ ଗାନ୍ଧୀଙ୍କ ଛାତିକୁ ଆଲିଙ୍ଗନ କରି ଶାନ୍ତ ଭାବରେ ରହିଛି। ପାର୍ଟି ସେୟାର କରିଥିବା ଏହି ଛବି ସହ ଏକ ସନ୍ଦେଶ ଲେଖାଯାଇଛି-“ଯେଉଁ ହାତ ଯତ୍ନ ଏବଂ ସୁରକ୍ଷା ଦିଏ, ସେଠି ଭବିଷ୍ୟତ ଆଶ୍ୱସ୍ତ ହୁଏ।”

ଫଟୋରେ ଥିବା ବାର୍ତ୍ତା ମାଧ୍ୟମରେ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛି । ବାସ୍ତବରେ, ରାହୁଲ ଗାନ୍ଧୀ ଦେଶ ସୁରକ୍ଷିତ ହାତରେ ନାହିଁ ବୋଲି ଜନସାଧାରଣଙ୍କୁ କହିବା ପାଇଁ ନରବଣେଙ୍କ ପୁସ୍ତକର ଉଦ୍ଧୃତି ଦେଉଛନ୍ତି । ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦାବି କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୟଭୀତ ଓ ସତ୍ୟର ସାମ୍ନା କରିବାକୁ ଚାହୁଁନାହାନ୍ତି। ନିକଟରେ, ରାହୁଲ ଗାନ୍ଧୀ ପୂର୍ବତନ ସେନା ମୁଖ୍ୟ ଏମ୍ଏମ୍ ନରବଣେଙ୍କ ଅପ୍ରକାଶିତ ସ୍ମୃତିର ଏକ କପି ଧରି ସଂସଦରେ ପହଞ୍ଚିଥିଲେ। ସେ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହକୁ ଆସିଲେ ତାଙ୍କୁ ପୁସ୍ତକଟି ପ୍ରଦାନ କରିବେ । ସାମ୍ବାଦିକମାନଙ୍କୁ ପୁସ୍ତକଟି ଦେଖାଇ ସେ କହିଲେ, ସରକାର କହୁଛନ୍ତି ଯେ, ଏହି ପୁସ୍ତକଟି ଅସ୍ତିତ୍ୱରେ ନାହିଁ, କିନ୍ତୁ ଏହା ଏଠାରେ ଅଛି। ଭାରତର ପ୍ରତ୍ୟେକ ଯୁବକ ଦେଖିବା ଉଚିତ ଯେ, ଏହି ପୁସ୍ତକଟି ଅସ୍ତିତ୍ୱରେ ଅଛି। ଏହା ନରବଣେ ଜୀଙ୍କ ପୁସ୍ତକ, କିନ୍ତୁ ମୋତେ କୁହାଯାଇଛି ଯେ ମୁଁ ଏହା ଉଲ୍ଲେଖ କରିପାରିବି ନାହିଁ । ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କୁହାଯାଇଥିବା ଏକ ବାକ୍ୟ ଅଛି ଯେ, ତୁମେ ଯାହା ଠିକ୍ ଭାବୁଛ କର ।

କଂଗ୍ରେସ ନେତା କହିଛନ୍ତି, ନରବଣେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଫୋନ୍ କରି କହିଥିଲେ ଯେ, ସୀମାରେ ଚୀନ୍ ଟ୍ୟାଙ୍କ୍ ପହଞ୍ଚିଛି। ଆମେ କ””ଣ କରିବା ଉଚିତ? କିନ୍ତୁ ରାଜନାଥ ସିଂହ କୌଣସି ଉତ୍ତର ଦେଇ ନଥିଲେ। ନରବଣେ ତାଙ୍କୁ ପୁଣି ଫୋନ୍ କରିଥିଲେ, ଯାହାର ଉତ୍ତରରେ ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ, ମୁଁ ଉଚ୍ଚ ପଦାଧିକାରୀଙ୍କୁ ପଚାରିବି। ଉଚ୍ଚ ପଦାଧିକାରୀଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିଥିଲା ଯେ, ଯଦି ଚୀନ୍ ସୈନ୍ୟମାନେ ଆମ ଅଞ୍ଚଳରେ ପ୍ରବେଶ କରନ୍ତି, ତେବେ ଆମକୁ ସୂଚନା ନ ଦେଇ ଗୁଳି ଚଳାଇବା ଉଚିତ ନୁହେଁ।
ନରବଣେ କହିଥିଲେ, ଆମର ସେନା ଚୀନ୍ ଟ୍ୟାଙ୍କଗୁଡ଼ିକ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିବାରୁ ସେମାନଙ୍କ ଉପରେ ଆକ୍ରମଣ କରିବାକୁ ଚାହୁଁଥିଲା। କିନ୍ତୁ ଏହି କଷ୍ଟକର ସମୟରେ ନରେନ୍ଦ୍ର ମୋଦୀ ବାର୍ତ୍ତା ଦେଇଥିଲେ, ତୁମେ ଯାହା ଠିକ୍ ଭାବୁଛ ତାହା କର। ଏହାର ଅର୍ଥ ହେଉଛି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଦାୟିତ୍ୱ ପାଳନ ନକରି ସେନାକୁ ଯାହା ଇଚ୍ଛା ତାହା କରିବାକୁ କହିଥିଲେ। ଏହା ତାଙ୍କ ନିୟନ୍ତ୍ରଣ ବାହାରେ ଥିଲା । ରାହୁଲ ଗାନ୍ଧୀଙ୍କ ଅନୁସାରେ, ତତ୍କାଳୀନ ସେନା ମୁଖ୍ୟ ନରବଣେ ତାଙ୍କ ପୁସ୍ତକରେ ସ୍ପଷ୍ଟ ଭାବରେ ଲେଖିଛନ୍ତି, ମୁଁ ବହୁତ ଏକୁଟିଆ ଅନୁଭବ କରିଥିଲି, ସମଗ୍ର ବ୍ୟବସ୍ଥା ମୋ ହାତ ଛାଡ଼ିଦେଇଥିଲା ।