
କେନ୍ଦୁଝର ଟାଉନ୍ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ୨ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିବା ସହିତ, ସେମାନଙ୍କ ନିକଟରୁ ଲୁଟ୍ ସୁନାଗହଣା ଜବତ କରିଛି ପୋଲିସ । ବ୍ୟବସାୟୀଙ୍କୁ ଆକ୍ରମଣ କରି ସୁନାଗହଣା ଲୁଟ୍ ମାମଲାରେ ୨ଜଣ ଅନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିବା ସହିତ, ସେମାନଙ୍କଠାରୁ ଲୁଟ୍ ସୁନାରୁପା ଗହଣା, ୨ଟି ମୋବାଇଲ୍ ଫୋନ୍ ଓ ମାରଣାସ୍ତ୍ର ଜବତ କଲା କେନ୍ଦୁଝର ଟାଉନ୍ ଥାନା ପୋଲିସ । ଗତ ୨୭.୪.୨୦୨୫ରେ କେନ୍ଦୁଝର ସହର, ନରଣପୁର ର ଦୀପକ କୁମାର ସାହୁ, ରାତି ସାଢ଼େ ୯ଟା ବେଳେ ତାଙ୍କ ସୁନାଦୋକନ ବନ୍ଦ କରି ବାଇକ୍ ରେ ଘରକୁ ଫେରୁଥିବା ବେଳେ, ୨ଟି ବାଇକ୍ ରେ ୫ଜଣ ଦୁର୍ବୃତ୍ତ ଦୀପକଙ୍କୁ ଆକ୍ରମଣ କରି ତାଙ୍କ ପାଖରେ ଥିବା ସୁନାଗହଣା ବ୍ୟାଗ୍ ଛଡ଼ାଇ ନେଇ ଫେରାର୍ ହୋଇ ଯାଇଥିଲେ ।
ଏନେଇ ଟାଉନ୍ ଥାନାରେ ଦୀପକଙ୍କ ଏତଲା ପରେ ଏସପିଙ୍କ ନିର୍ଦ୍ଦେଶରେ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରି ପ୍ରଥମେ ବିଭିନ୍ନ ଅଞ୍ଚଳର ସିସିଟିଭି ଯାଞ୍ଚ କରିଥିଲା ପୋଲିସ । ଏହାପରେ କେନ୍ଦୁଝର ସହରର ବିଭିନ୍ନ ହୋଟେଲ୍ ଯାଞ୍ଚ କରିବା ସମୟରେ ଏକ ହୋଟେଲ୍ ଭିତରେ ୨ଜଣ ଅଭିଯୁକ୍ତ ଥିବା ବେଳେ, ଅନ୍ୟ ୨ଜଣ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲେ । ୨ଜଣ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଛତିଶଗଡ଼ର ଲକ୍ଷଣ ଗୋଣ୍ଡ ଓ ଅନ୍ୟଜଣେ ନାବାଳକ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସଦର ଏସଡ଼ିପିଓ । ସେମାନଙ୍କ ନିକଟରୁ ୧୨.୦୯ ଗ୍ରାମ୍ ସୁନା ଓ ୧.୪୩ କେଜି ରୁପା ଗହଣା, ୨ଟି ମୋବାଇଲ୍ ଫୋନ୍ ଜବତ କରିଛି ପୋଲିସ । ଏଥିସହ, ଆକ୍ରମଣ ପାଇଁ ବ୍ୟବହୃତ ୨ଟି ବେସବଲ୍ ବ୍ୟାଟ୍ ମଧ୍ୟ ଜବତ କରିଛି । ଏହି ଲୁଟ୍ ରେ ସମ୍ପୃକ୍ତ ଅନ୍ୟ ୩ଜଣଙ୍କୁ ଚିହ୍ନଟ କରି ପୋଲିସ ସେମାନଙ୍କୁ ଖୋଜୁଥିବା କହିଛନ୍ତି ସଦର ଏସଡ଼ିପିଓ.