କିଛିଦନ ତଳେ ହଠାତ ବୈଜୟନ୍ତ ପଣ୍ଡାଙ୍କ ଅଫିସ୍କୁ ଏକ ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଥିଲା । କଲରେ ଥାଇ ଜଣେ ବ୍ୟକ୍ତି କହୁଥିଲା, ନବ ଦାସଙ୍କ ପରି ସମାନ ଅବସ୍ଥା ଭୋଗିବେ ବୈଜୟନ୍ତ ପଣ୍ଡା । ଯାହାକୁ ନେଇ ଦିଲ୍ଲୀ ପୋଲିସରେ ଅଭିଯୋଗ ହୋଇଥିଲା । ଏହାପରେ ଦିଲ୍ଲୀ ପୋଲିସ ଚଳାଇଥିଲା ତନାଘନା । ଶେଷରେ ସେହି ଧମକପୂର୍ଣ୍ଣ କଲର ଚେର ବେଙ୍ଗାଲୁରୁରେ ଥିବା ଦିଲ୍ଲୀ ପୋଲିସ ଜାଣିବାକୁ ପାଇଥିଲା ।
ଏହାପରେ ଦିଲ୍ଲୀ ପୋଲିସ ଆରମ୍ଭ କରିଥିଲା ଅଭିଯୁକ୍ତକୁ ଧରିବାର ଅଭିଯାନ । ଆଉ ଶେଷରେ ଆଜି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତଙ୍କୁ ବେଙ୍ଗାଲୁରୁରୁ ଗରଫ କରିଛି ପୋଲିସ । ଏହାପରେ ତାଙ୍କୁ ଦିଲ୍ଲୀ ଆଣି ପଚରା ଉଚୁରା ବେଳେ ଅଭିଯୁକ୍ତ ଜଣକ ସବୁ ସତ ଓଗାଳିଛି ।
ସେହି କଲ ସେ ନିଜେ କରିଥିବା ମାନିବା ସହିତ ଅବସାଦ ପାଇଁ ଏପରି କରିଥିବା ସ୍ବୀକାର କରିଛି । ଏଥିରେ ତାଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟ ନଥିବା କହିବା ସହିତ ଆଗକୁ ସେ ଏପରି କିଛି କରିବେ ନାହିଁ ପୋଲିସକୁ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି ।
ଅନ୍ୟପଟେ ସତ ପ୍ରମାଣିତ ନହେବା ପର୍ଯ୍ୟନ୍ତ ତାଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନନେବାକୁ ବୈଜୟନ୍ତ ପଣ୍ଡାଙ୍କ ଅଫିସ ପକ୍ଷରୁ କୁହାଯାଇଛି । ସେହି ବ୍ୟକ୍ତି ଜଣକ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ତାଙ୍କ ନାଁକୁ ଗୋପନ ରଖିଛି ଦିଲ୍ଲୀ ପୋଲିସ ।