ବେଙ୍ଗାଳୁରୁରେ ପୁଣି କ୍ରିକେଟ୍‌ ଉତ୍ସବ, ଚିନ୍ନାସ୍ବାମୀରେ ଆଇପିଏଲ୍‌ ଆୟୋଜନ ନେଇ ସଙ୍କେତ

ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ପୁଣି କ୍ରିକେଟ୍‌ ମ୍ୟାଚ୍‌ ଆରମ୍ଭ ହେବାକୁ ଯାଉଛି। ଗ୍ରେଟର୍‌ ବେଙ୍ଗାଳୁରୁ ପ୍ରାଧୀକରଣର ମୁଖ୍ୟ ମହେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଗଠିତ ସରକାରୀ କମିଟିର ସୁପାରିସ୍‌ ପରେ ରାଜ୍ୟ କ୍ୟାବିନେଟ୍‌ ଗୁରୁବାର ମ୍ୟାଚ୍‌ ପୁନରାରମ୍ଭକୁ ମଞ୍ଜୁରି ଦେଇଛି।

ଜାନୁଆରି ୧୭ ତାରିଖରେ ଗୃହ ବିଭାଗ ପକ୍ଷରୁ ସର୍ତ୍ତସାପେକ୍ଷ ଅନୁମତି ମିଳିଥିଲା। ଏହା ଫଳରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ଏଠାରେ ଆଇପିଏଲ୍‌ ମ୍ୟାଚ୍‌ ଆୟୋଜନ କରିପାରିବ। ଗତ ବର୍ଷ ଜୁନ ୪ରେ ଆର୍‌ସିବିର ଆଇପିଏଲ୍‌ ବିଜୟ ଉତ୍ସବ ବେଳେ ଷ୍ଟାଡିୟମ୍‌ ବାହାରେ ଦଳାଚକଟାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁଃଖଦ ଘଟଣାପରେ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍‌ ସଂଘ (କେଏସ୍‌ସିଏ)କୁ କର୍ଣ୍ଣାଟକ ସରକାର ମ୍ୟାଚ୍‌ ଆୟୋଜନ କରିବାକୁ ବାରଣ କରିଥିଲେ।ଯେଉଁଥିରେ ୧୧ ଜଣଙ୍କର ଜୀବନ ଯାଇଥିଲା। ସୂଚନାଯୋଗ୍ୟ ଯେ ମାର୍ଚ୍ଚ ୨୬ରୁ ଆଇପିଏଲ୍‌ର ୧୯ତମ ସଂସ୍କରଣ ଆରମ୍ଭ ହେବାର ସମ୍ଭାବନ ରହିଛି। ପାରମ୍ପରିକ ଭାବରେ ଉଦ୍‌ଘାଟନୀ ଉତ୍ସବ ଓ ସଂସ୍କରଣର ପ୍ରଥମ ମ୍ୟାଚ୍‌‌ ଆୟୋଜନ ଅଧିକାର ବିଜେତା ଦଳକୁ ମିଳିଥାଏ।