ବିହାରରେ ଭୋଟ୍‌ରଙ୍କ ରେକର୍ଡ: ପ୍ରଥମ ପର୍ଯ୍ୟାୟରେ ୬୪.୬୬% ମତଦାନ, ଭାଙ୍ଗିଲା ୨୦୨୦ର ସମସ୍ତ ରେକର୍ଡ।

ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଭୋଟରଙ୍କ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି। ଗୁରୁବାର ୧୮ଟି ଜିଲ୍ଲାର ୧୨୧ଟି ଆସନରେ ଅନୁଷ୍ଠିତ ମତଦାନରେ ରେକର୍ଡ ୬୪.୬୬ ପ୍ରତିଶତ ଭୋଟ୍ ଗ୍ରହଣ କରାଯାଇଛି। ୨୦୨୦ ନିର୍ବାଚନ ତୁଳନାରେ ଏହି ହାର ପ୍ରାୟ ୮.୫ ପ୍ରତିଶତ ଅଧିକ, ଯାହା ରାଜନୈତିକ ସମୀକ୍ଷକଙ୍କୁ ଚକିତ କରିଛି। ଏହି ବର୍ଦ୍ଧିତ ମତଦାନ ହାରକୁ ଉଭୟ ଏନ୍‌ଡିଏ ଏବଂ ମହାମେଣ୍ଟ ନିଜ ସପକ୍ଷରେ ବୋଲି ଦାବି କରିଛନ୍ତି।

ରାଜନୈତିକ ପରିସଂଖ୍ୟାନ ଅନୁଯାୟୀ, ଯେତେବେଳେ ବି ମତଦାନ ହାର ୫ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି, ସେତେବେଳେ ବିହାରରେ ସରକାର ପରିବର୍ତ୍ତନ ହୋଇଛି। ୧୯୬୭: ୭ ପଏଣ୍ଟ ବୃଦ୍ଧି ସହ ପ୍ରଥମ ଥର ପାଇଁ ଅଣ-କଂଗ୍ରେସ ମେଣ୍ଟ ଶାସନକୁ ଆସିଥିଲା। ୧୯୮୦: ପ୍ରାୟ ୭ ପ୍ରତିଶତ ବୃଦ୍ଧି ଫଳରେ ଜନତା ପାର୍ଟିର ପତନ ଓ କଂଗ୍ରେସର ପ୍ରତ୍ୟାବର୍ତ୍ତନ ହୋଇଥିଲା। ୧୯୯୦: ୫.୮ ପ୍ରତିଶତ ବୃଦ୍ଧି ଲାଲୁ ପ୍ରସାଦ ଯାଦବଙ୍କ ପାଇଁ କ୍ଷମତାର ବାଟ ଖୋଲିଥିଲା। ତେବେ ୨୦୦୫ରେ ଭୋଟ୍ ହାର କମିଥିଲେ ମଧ୍ୟ ନୀତୀଶ କୁମାରଙ୍କ ନେତୃତ୍ୱରେ ଜେଡିୟୁ କ୍ଷମତାକୁ ଆସିଥିଲା। ଏହି ଧାରାକୁ ଦେଖିଲେ ଚଳିତ ବର୍ଷର ୮.୫ ପ୍ରତିଶତ ବୃଦ୍ଧି କୌଣସି ବଡ଼ ରାଜନୈତିକ ଓଲଟଫେରର ସଙ୍କେତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩.୭୫ କୋଟି ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିଥିବା ବେଳେ, ଆସନ୍ତା ନଭେମ୍ବର ୧୧ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଏହି ମହାଲଢ଼େଇର ଚୂଡ଼ାନ୍ତ ଫଳାଫଳ ନଭେମ୍ବର ୧୪ ତାରିଖରେ ପ୍ରକାଶ ପାଇବ, ଯେଉଁଥିରୁ ଜଣାପଡ଼ିବ ଯେ ବିହାର ଜନତା ପୁଣି ଥର ଇତିହାସର ପୁନରାବୃତ୍ତି କରିଛନ୍ତି ନା ଶାସକ ଦଳ ଉପରେ ଭରସା ରଖିଛନ୍ତି।