ଆମେରିକା, ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଏକ ଭୟଙ୍କର ରୂପ ନେବାକୁ ଯାଉଛି। ଇରାନ ସମର୍ଥିତ ୟେମେନର ହୁତି ବିଦ୍ରୋହୀମାନେ ଏହି ସଂଘର୍ଷରେ ସିଧାସଳଖ ଡେଇଁ ପଡ଼ିଛନ୍ତି, ଯାହା ସମଗ୍ର ଆରବ ସାଗର ଓ ଲୋହିତ ସାଗର ଅଞ୍ଚଳରେ ଅସ୍ଥିରତା ସୃଷ୍ଟି କରିଛି। ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ୟେମେନରୁ ଇସ୍ରାଏଲ୍ ଅଭିମୁଖେ ଏକ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି। ରିପୋର୍ଟ ଅନୁଯାୟୀ, ହୁତି ବିଦ୍ରୋହୀମାନେ ଇସ୍ରାଏଲର ଡିମୋନା ସ୍ଥିତ ପରମାଣୁ କେନ୍ଦ୍ରକୁ ଲକ୍ଷ୍ୟ କରି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଛାଡ଼ିଛନ୍ତି। ଇରାନ ବିରୋଧରେ ହେଉଥିବା କାର୍ଯ୍ୟାନୁଷ୍ଠାନର ଜବାବ ଦେବାକୁ ହୁତିମାନେ ପୂର୍ବରୁ ଚେତାବନୀ ଦେଇଥିଲେ।

ହୁତି ବିଦ୍ରୋହୀଙ୍କ ସମ୍ପୃକ୍ତି ଯୋଗୁଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ବାବ୍ ଏଲ୍-ମାଣ୍ଡେବ’ ବନ୍ଦ ହେବାର ସମ୍ଭାବନା ଦେଖାଦେଇଛି। ଏହା ୟେମେନ୍ ଏବଂ ଆଫ୍ରିକାର ଜିବୁତି ମଧ୍ୟରେ ଅବସ୍ଥିତ, ଯାହା ଲୋହିତ ସାଗରକୁ ଆଡେନ୍ ଉପସାଗର ସହ ସଂଯୋଗ କରେ। ବିଶ୍ୱ ସାମୁଦ୍ରିକ ବାଣିଜ୍ୟର ପ୍ରାୟ ୧୦-୧୫ ପ୍ରତିଶତ ଏହି ପଥ ଦେଇ ଯାଇଥାଏ। ସ୍ୱେଜ୍ କେନାଲ୍କୁ ଯିବା ପାଇଁ ଏହା ହେଉଛି ଏକମାତ୍ର ମାର୍ଗ। ଇରାନ ପୂର୍ବରୁ ହର୍ମୁଜ୍ ପ୍ରଣାଳୀ ଉପରେ କଟକଣା ଲଗାଇଥିବା ବେଳେ, ଯଦି ହୁତିମାନେ ବାବ୍ ଏଲ୍-ମାଣ୍ଡେବକୁ ଅବରୋଧ କରନ୍ତି, ତେବେ ବିଶ୍ୱରେ ଏକ ବଡ଼ ଧରଣର ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇପାରେ। ଏହି ଆଞ୍ଚଳିକ ସଂଘର୍ଷରେ ଇରାନ ସହ ଲେବାନନ୍, ଇରାକ ଏବଂ ଏବେ ୟେମେନର ବିଦ୍ରୋହୀ ଗୋଷ୍ଠୀ ସାମିଲ ହେବା ଫଳରେ ମଧ୍ୟ-ପ୍ରାଚ୍ୟରେ ଏକ ବଡ଼ ଯୁଦ୍ଧର ସଙ୍କେତ ମିଳୁଛି।