ବିଶ୍ବର ସବୁଠାରୁ ବୟସ୍କ କୁକୁର ବବିର ୩୧ ବର୍ଷ ବୟସରେ ମୃତ୍ୟୁ

ବିଶ୍ବର ସର୍ବକାଳୀନ ସର୍ବବରିଷ୍ଠ ତଥା ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡଧାରୀ କୁକୁରର ମୃତ୍ୟୁ । ୩୧ ବର୍ଷ ୧୬୫ ଦିନରେ ବବି ଶନିବାର ଦିନ ପର୍ତ୍ତୁଗାଲସ୍ଥିତ ତାର ଘରେ ମୃତ୍ୟୁବରଣ କରିଛି। ଏହି ସୂଚନା ଦେଇଛନ୍ତି ବବିର ପଶୁ ଚିକିତ୍ସକ କାରେନ ବେକର। ବବିର ବରିଷ୍ଠତାକୁ ପର୍ତ୍ତୁଗିଜ ସରକାରଙ୍କ ପାଳିତ ପଶୁ ଡାଟାବେଶରେ ସ୍ଥାନ ଦିଆଯାଇଥିଲା, ଯାହା ଦେଶର ପଶୁ ଡାକ୍ତରୀ ସଂଗଠନ ଦ୍ବାରା ପରିଚାଳିତ ହୋଇଥାଏ। ବବି ତାର ପୂରା ଜୀବନ ପର୍ତ୍ତୁଗାଲ ଉପକୂଳ କନକ୍ୟୁରସର ଏକ ଗାଁରେ କାଟିଥିଲା। ୧୯୯୨ରେ ଜନ୍ମିତ ବବି ଏକ ରାଫେରୋ ଡୋ ଆଲେଣ୍ଟେଜୋ ପ୍ରଜାତିର କୁକୁର ଥିଲା। ବବିର ଲାଳନ ପାଳନ କରିଥିବା କୋଷ୍ଟା ପରିବାରରେ ଅନେକ ପାଳିତ ପଶୁ ଥିଲେ। ବବିର ମା ଓ ଭାଇ ଭଉଣୀ ମଧ୍ୟ ତାଙ୍କ ଘରେ ଥିବା କୁକୁର ଘରେ ରହୁଥିଲେ। ବବି ତାର ଦୀର୍ଘ ଜୀବନକାଳରେ ମାତ୍ର ଥରଟିଏ ୨୦୧୮ରେ ଅସୁସ୍ଥ ହୋଇଥିଲା। ଶ୍ବାସଜନିତ ସମସ୍ୟା ଦେଖାଦେବାରୁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଥିରୁ ସେ ସୁସ୍ଥ ହୋଇ ଫେରିଥିଲା। ତାକୁ ଚଳିତ ବର୍ଷ ଫେବୃଆରୀରେ ବିଶ୍ବର ସର୍ବ ବରିଷ୍ଠ ଓ ସର୍ବକାଳୀନ ବରିଷ୍ଠ କୁକୁର ଭାବେ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ମିଳିଥିଲା। ମୃତ୍ୟୁ ପୂର୍ବରୁ ବବିର ଚାଲିବା ଓ ଦୃଷ୍ଟିଶକ୍ତିରେ ସମସ୍ୟା ଦେଖାଦେଇଥିଲା ବୋଲି କୋଷ୍ଟା ପରିବାର କହିଛି। ବବିର ଦୀର୍ଘ ଜୀବନ ସମ୍ପର୍କରେ ତାର ମୁନିବ ଲିଓନେଲ କୋଷ୍ଟା କହିଥିଲେ କି, ଶାନ୍ତିପୂର୍ଣ୍ଣ ପରିବେଶ ଓ ଶାନ୍ତି ପାଇଁ ବବି ଦୀର୍ଘଜୀବୀ ହୋଇପାରିଛି। ତେବେ ଖାଲି ବବି ନୁହେଁ, ତାର ମା ମଧ୍ୟ ୧୮ ବର୍ଷ ବଞ୍ଚିଥିଲା ତଥା ତା ପରିବାରର ଆଉ ଜଣେ ସଦସ୍ୟ ମଧ୍ୟ ୨୨ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥିଲା। ବିଶ୍ବର ସବୁଠାରୁ ବୟସ୍କ ଓ ସର୍ବକାଳୀନ ବରିଷ୍ଠ କୁକୁର ଭାବେ ବବି ପୂର୍ବରୁ ଅଷ୍ଟ୍ରେଲିର ବ୍ଲୁଇ ରେକର୍ଡ କରିଥିଲା, ଯିଏ ୧୯୩୯ ମସିହାରେ ୨୯ ବର୍ଷ ୫ ମାସରେ ମୃତ୍ୟୁବରଣ କରିଥିଲା।

Leave a Reply

Your email address will not be published. Required fields are marked *