
ବିବାହ ପରେ ମାତ୍ର ଦେଢ଼ମାସ ମଧ୍ୟରେ ନବବିବାହିତ ଦମ୍ପତିଙ୍କ ଆଗପଛ ଆତ୍ମହତ୍ୟା ଘଟଣା ସହରକୁ ସ୍ତବ୍ଧ କରିଦେଇଛି। ବିବାହ ପୂର୍ବ ସମ୍ପର୍କକୁ ନେଇ ହୋଇଥିବା ତୀବ୍ର ବିବାଦ ଏହି ଦୁଃଖଦ ଘଟଣାର ମୁଖ୍ୟ କାରଣ ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିଛି।
ସୂଚନା ଅନୁଯାୟୀ, ବେଙ୍ଗାଲୁରୁର ବିଦ୍ୟାରନ୍ୟାପୁର ଅଞ୍ଚଳର ବାସିନ୍ଦା ସୁରଜ ଶିବନ ଓ ଗନଭୀ ଦେଢ଼ମାସ ତଳେ ବିବାହ କରିଥିଲେ। ବିବାହ ପରେ ଦୁହେଁ ୧୦ ଦିନ ପାଇଁ ଶ୍ରୀଲଙ୍କାକୁ ହନିମୁନରେ ଯାଇଥିଲେ। ହେଲେ ସେଠାରେ ଗନଭୀଙ୍କ ବିବାହ ପୂର୍ବ ବନ୍ଧୁତାକୁ ନେଇ ଦୁଇଜଣଙ୍କ ମଧ୍ୟରେ ଭୟଙ୍କର ଝଗଡ଼ା ହୋଇଥିଲା। ଏହା ପରେ ଦମ୍ପତି ହନିମୁନ ଅଧାରୁ ବନ୍ଦ କରି ବେଙ୍ଗାଲୁରୁ ଫେରିଆସିଥିଲେ।
ହନିମୁନରୁ ଫେରିବା ପରେ ଘରୋଇ କଳହ ଆଉ ଗଭୀର ହୋଇଥିଲା। ସୁରଜଙ୍କ ବଡ଼ଭାଇ ସଞ୍ଜୟ ଶିବନ ଦୁହିଁଙ୍କ ମଧ୍ୟରେ ସମାଧାନ ଆଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ଶେଷରେ ଗନଭୀ ରାଗିକରି ନିଜ ପୈତୃକ ଘରକୁ ଚାଲିଯାଇଥିଲେ। ସେଠାରେ ଗୁରୁବାର ସେ ଆତ୍ମହତ୍ୟା କରିଥିଲେ।
ଗନଭୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ପକ୍ଷରୁ ମିଥ୍ୟା ଯୌତୁକ ନିର୍ଯାତନା ଅଭିଯୋଗ ଆଣାଯାଇଥିଲା। ଏହାକୁ ନେଇ ପୁଲିସ କାର୍ଯ୍ୟାନୁଷ୍ଠାନ ଭୟରେ ସୁରଜ, ତାଙ୍କ ଭାଇ ଓ ମା’ ପ୍ରଥମେ ହାଇଦ୍ରାବାଦ ଏବଂ ପରେ ନାଗପୁର ପଳାଇଯାଇଥିଲେ ବୋଲି ସଞ୍ଜୟ କହିଛନ୍ତି।
ଶୁକ୍ରବାର ରାତିରେ ସୁରଜଙ୍କୁ ନାଗପୁରର ଏକ ହୋଟେଲ ରୁମ୍ରେ ସିଲିଂ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହାସହିତ ସୁରଜଙ୍କ ମା’ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ, ହେଲେ ସେ ଭାଗ୍ୟକ୍ରମେ ବର୍ତ୍ତିଯାଇଥିଲେ।
ଦୁଇ ଦିନ ମଧ୍ୟରେ ଘଟିଥିବା ଏହି ଦୁଇଟି ଆତ୍ମହତ୍ୟା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଜଲ୍ୟ ସୃଷ୍ଟି କରିଥିବାବେଳେ, ପୁଲିସ ସମ୍ପୂର୍ଣ୍ଣ ଘଟଣାର ଗଭୀର ତଦନ୍ତ ଜାରି ରଖିଛି।