
ଓଡ଼ିଶାରେ ଅବୈଧ ଲଘୁ ଖଣିଜ ଉତ୍ତୋଳନ ଓ ଲୁଟ ମାମଲାକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ବିଜେଡି ନେତାଙ୍କ ଘରେ ଇଡିର ତନାଘନା । ଭୁବନେଶ୍ୱର ଜୋନାଲ ଅଫିସ୍ର ନିର୍ଦ୍ଦେଶନାରେ ଗଞ୍ଜାମ ଜିଲ୍ଲାରେ ୫ରୁ ଅଧିକ ସ୍ଥାନରେ ଏକାସାଥିରେ ଚଢାଉ ଚାଲିଛି। ଏହି ମେଗା ରେଡ୍ରେ ପ୍ରାୟ ୧୦୦ ଜଣିଆ ଇଡି ଟିମ୍ ସାମିଲ ହୋଇଥିବା ସୂଚନା ମିଳିଛି। ବାଲି ଓ କଳାପଥର ଭଳି ଲଘୁ ଖଣିଜ ପଦାର୍ଥର ବେଆଇନ ଓ ଅନଧିକୃତ ଖନନ, ପରିବହନ ଏବଂ ବିକ୍ରୟ ସଂପର୍କିତ ମାମଲାକୁ ନେଇ ଏହି ଚଢାଉ କରାଯାଉଛି। ଲଘୁ ଖଣିଜ ଲୁଟ ଘଟଣାରେ ଗ୍ୟାଙ୍ଗଷ୍ଟର ଏବଂ ବାହୁବଳୀମାନେ ସାମିଲ ଅଛନ୍ତି । ଯେଉଁମାନେ ଅଞ୍ଚଳରେ ଆତଙ୍କ ଖେଳାଇ ବେଆଇନ ଭାବେ ଲଘୁ ଖଣିଜ ପଦାର୍ଥ ଲୁଟ ଚଳାଇଥିଲେ ।
ଚଢ଼ାଉ ସମୟରେ କୋଟି କୋଟି ଟଙ୍କା ନଗଦ ଟଙ୍କା, ଦାମୀ ବେନାମୀ ଯାନବାହନ ଏବଂ ଏହି ଦୁର୍ବୃତ୍ତମାନଙ୍କ ଦ୍ୱାରା ସମ୍ପାଦିତ ଅସ୍ଥାବର ସମ୍ପତ୍ତି, ଚୁକ୍ତିନାମା ଏବଂ ଖଣି ଲିଜ୍ ସମ୍ପର୍କିତ କାଗଜପତ୍ର ଜବତ କରାଯାଇଛି । ତଲାସୀ ଅଭିଯାନ ଜାରି ରହିଛି । ଆଜି ମଧ୍ୟ ରେଡ ଜାରି ରହିବ ବୋଲି ଜଣାପଡିଛି । ଚଢ଼ାଉ ସରିବା ପରେ ଜବତ ସଂପତ୍ତିର ବିବରଣୀ ଜଣାପଡିବ । ରାଜ୍ୟରେ ଅବୈଧ ଖଣି କାରବାର ମାମଲାରେ ଇଡି ପୁଙ୍ଖାନୁପୁଙ୍ଖ ତଦନ୍ତ ଚଳାଇଛି ।