ବାୟୁ ପ୍ରଦୁଷଣ ଦାବିରେ ଗ୍ରାମବାସୀଙ୍କ ରାସ୍ତା ରୋକ, ନାଲି ଆଖି ଦେଖାଉଛି ପୋଲିସ

ଧୁଳି ଧୂଆଁରେ ଅସ୍ତବ୍ୟସ୍ତ ଗ୍ରାମବାସୀ । ବାୟୁ ପ୍ରଦୁଷଣ ପ୍ରତିକାର ଦାବୀରେ ରାସ୍ତା ରୋକ କରିଛନ୍ତି ଗ୍ରାମବାସୀ । ରାସ୍ତା ରୋକ ଯୋଗୁଁ ଯୋଡ଼ା ବାମେବାରୀ ରାସ୍ତାରେ ଯାତାୟତ ଠପ ହୋଇଯାଇଛି । କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ବଳଦା ପଞ୍ଚାୟତ ବିପ୍ଲଟ ଗ୍ରାମାଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି । ଗାଁରେ ବିଦ୍ୟୁତ ସେବା ମଧ୍ୟ ନାହିଁ ।

ଯୋଡ଼ା ବାମେବାରୀ ରାସ୍ତାରେ ମାତ୍ରାଧିକ ଭାରି ଯାନ ଚଳାଚଳ ଯୋଗୁଁ ଧୁଳି ଧୁଆଁ ରେ ଅତିଷ୍ଠ ହୋଇପଡିଛନ୍ତି ଗ୍ରାମବାସୀ । ଏ ନେଇ ବାରମ୍ବାର ପ୍ରଶାସନ କୁ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ଗୁରୁତ୍ବ ଦେଉନାହିଁ । ଯେଉଥିପାଇଁ ଆଜି ବାଧ୍ୟ ହୋଇ ଗ୍ରାମ ବାସୀ ରାସ୍ତା ରୋକ କରିଛନ୍ତି । ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ବୟସ୍କ ପାର୍ଜୟନ୍ତ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ବାୟୁ ପ୍ରଦୁଷଣ କାରଣରୁ ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହେବା ସହ ଛୋଟ ଛୁଆ ମାନେ ମଧ୍ୟ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ଏହି ଅଞ୍ଚଳ ରେ ଏକାଧିକ ଖଣି କମ୍ପାନୀ କାର୍ଯ୍ୟ କରୁଛି । ହେଲେ ଏହି କମ୍ପାନୀରୁ ଖଣିଜ ଦ୍ରବ୍ୟ ପରିବହନ କାର୍ଯ୍ୟ ଦୈନିକ ହଜାର ହଜାର ଟ୍ରକ ଚଳାଚଳ ଯୋଗୁଁ ଏଭଳି ପରିସ୍ଥିତି ସୣଷ୍ଟି ହୋଇଛି । ତେବେ ଖଣି ପ୍ରଭାବିତ ଅନୁଦାନ ଖଣି ଅଞ୍ଚଳରେ କାର୍ଯ୍ୟ ରେ ଲାଗୁ ନଥିବା ଅଭିଯୋଗ କରି ଗ୍ରାମବାସୀ ରାସ୍ତା ରୋକ କରିଥିବା ଜଣାପଡିଛି । ପ୍ରଦୂଷଣ ବିଭାଗ ଓ ପ୍ରଶାସନ ସବୁ ଜାଣି ମଧ୍ୟ ଚୁପ ରହିଥିବା ଅଭିଯୋଗ ହେଉଛି । ତେବେ ଦେଖିବାକୁ ବାକି ରହିଲା ଏହି ଘଟଣାର କେବେ ସମାଧାନ ହେଉଛି ।