
ପିଲା ଅଳି କଲେ ବାପା ମା ବୁଝାନ୍ତି । ଆଉ ଭୁଲ କଲେ ତାଗିତ୍ କରନ୍ତି । କିନ୍ତୁ ଏ ତାଗିତ୍ ଯେ ବାପା ମାଙ୍କ ପାଇଁ ଏତେ ବଡ ଅଭିଶାପ ପାଲଟି ଯିବ ତାହା ହୁଏତ ସେମାନଙ୍କୁ ଜଣା ନଥିଲା । ବାପାର ଗାଳି କୁ ସହିପାରିଲାନି ପୁଅ ଶେଷରେ ନେଲା ଚରମ ନିଷ୍ପତ୍ତି । ଆଉ ନିଜଜୀବନକୁ ନିଜେ ହିଁ ଶେଷ କରିଦେଲା । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଟାଂଗୀ ନିକଟସ୍ଥ ଝରିଆ ଗୋଡିସାହି ଗାଁରେ ।
ସୁଚନା ଅନୁଯାୟୀ ଝରିଆ ଗୋଡିସାହି ଗ୍ରାମର ଖୋକନ୍ ଭୋଳ ନିଜର ୧୪ ବର୍ଷର ପୁଅ ବବୁଲ୍ କୁ କିଛି ଟଙ୍କା ଦେଇଥିଲେ ଘରକୁ ରାସନ୍ ସାମଗ୍ରୀ ଆଣିବା ପାଇଁ। ହେଲେ ବବୁଲ ରାସନ୍ ସାମଗ୍ରୀ ଆଣିବା ପରିବର୍ତ୍ତେ ସାଂଗ ସାଥିଙ୍କ ସହ ଭୋଜି ଭାତରେ ଖର୍ଚ୍ଚ କରିଦେଇଥିଲା । ଆଉ ଏକଥା ଜାଣିବା ପରେ ବବୁଲ୍ କୁ ତାଗିଦ୍ କରିବା ସହ ଗାଳି କରିଥିଲେ ବାପା ଖୋକନ୍ । ବାସ୍ ଏତିକିରେ ରାଗିଯାଇ ବବୁଲ୍ ତିନି ଦିନ ହେବ ଘରୁ ନିଖୋଜ ହୋଇଯାଇଥିଲା । ଆଜି ବବୁଲ୍ ଙ୍କ ମୃତ ଦେହ ପଟିଆ ମାଳ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ବବୁଲ୍ ସେହି ଜଙ୍ଗଲ ମଧ୍ୟରେ ଥିବା ଏକ କାଜୁ ଗଛରେ ନିଜ ଗାମୁଛା ସାହାଯ୍ୟରେ ଝୁଲି ପଡିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଥିବାବେଳେ ଚାନ୍ଦପୁର ପୋଲିସ ମୃତ ଦେହ କୁ ଜବତ କରି ତଦନ୍ତ ଆରମ୍ଭ କରିଛି ।