ଭାରତ–ଆମେରିକା ମଧ୍ୟରେ ସମ୍ପନ୍ନ ହୋଇଥିବା ଐତିହାସିକ ବାଣିଜ୍ୟ ଚୁକ୍ତିକୁ ନେଇ ଦେଶର ରାଜନୀତି ତେଜ ହୋଇଉଠିଛି। ଏହି ଚୁକ୍ତି ପରେ ବିରୋଧୀ ଦଳଗୁଡ଼ିକ ମୋଦୀ ସରକାରଙ୍କୁ ଲକ୍ଷ୍ୟ କରି ସମାଲୋଚନା କରୁଥିବା ବେଳେ, ଟ୍ରେଡ୍ ଡିଲ୍କୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠୁଛି।
ଏହି ସମସ୍ତ ଆଲୋଚନା ମଧ୍ୟରେ ଆମେରିକାର ସ୍ପଷ୍ଟ ଆଭିମୁଖ୍ୟ ଅନେକ ପ୍ରଶ୍ନରେ ପୂର୍ଣ୍ଣଛେଦ ପକାଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ–ଆମେରିକା ବାଣିଜ୍ୟ ଚୁକ୍ତିକୁ ନେଇ ଟ୍ରୁଥ୍ ସୋସିଆଲରେ ଏକାଧିକ ଦାବି କରିଥିବା ବେଳେ, ଆମେରିକାର ବାଣିଜ୍ୟ ପ୍ରତିନିଧି ଜେମିସନ ଗ୍ରୀୟର ମଙ୍ଗଳବାର ଦିନ ‘ଏକ୍ସ’ରେ ଏକ ପୋଷ୍ଟ କରି ସ୍ପଷ୍ଟ କରିଛନ୍ତି ଯେ ଭାରତ ଆମେରିକୀୟ କୃଷି ଉତ୍ପାଦ ଉପରେ ଶୁଳ୍କକୁ ଶୂନ୍ୟ କରିବ।

ଗ୍ରୀୟର କହିଛନ୍ତି ଯେ, ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ସହିତ ହୋଇଥିବା ଏହି ଐତିହାସିକ ଚୁକ୍ତି ଆମେରିକୀୟ ଚାଷୀ ଓ ଉତ୍ପାଦକମାନଙ୍କୁ ଭାରତୀୟ ବଜାରରେ ପ୍ରବେଶ କରିବାରେ ବଡ଼ ସୁଯୋଗ ଦେବ। ତେବେ ସେ ଏକ ସାକ୍ଷାତକାରରେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏହି ଚୁକ୍ତି ଭାରତକୁ କିଛି କୃଷି ଉତ୍ପାଦର ଆମଦାନୀ ଉପରେ ସୁରକ୍ଷାମୂଳକ ବ୍ୟବସ୍ଥା ବଜାୟ ରଖିବାର ସୁଯୋଗ ଦେଇଛି।ଆମେରିକାର ବାଣିଜ୍ୟ ପ୍ରତିନିଧି ଜେମିସନ ଗ୍ରୀୟର କହିଛନ୍ତି, ଭାରତରେ ବାଦାମ, ମଦ, ସ୍ପିରିଟ୍, ଫଳ, ପନିପରିବା ଇତ୍ୟାଦି ଅନେକ ସାମଗ୍ରୀ ଉପରେ ଶୁଳ୍କ ଶୂନ୍ୟ ହେବାକୁ ଯାଉଛି। ଯଦିଓ, ସେ ଚାଉଳ, ସୋୟାବିନ୍, ଚିନି କିମ୍ବା କ୍ଷୀର ଉତ୍ପାଦ ବିଷୟରେ ଉଲ୍ଲେଖ କରିନଥିଲେ, କିନ୍ତୁ ଭାରତ ଏହି ସବୁ ସାମଗ୍ରୀକୁ ବାଣିଜ୍ୟ ଚୁକ୍ତିରୁ ବାଦ ଦେଇଛି।

ସେପଟେ ରାଷ୍ଟ୍ରପଟି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋର ସବୁଠାରୁ ଭଲ ବନ୍ଧୁମାନଙ୍କ ମଧ୍ୟରୁ ଜଣେ, ଯିଏ ୫୦୦ ବିଲିୟନ ଡଲାର ମୂଲ୍ୟର ଆମେରିକୀୟ ସାମଗ୍ରୀ କିଣିବାକୁ, ଆମେରିକା ଉପରେ ଶୁଳ୍କକୁ ଶୂନ୍ୟ କରିବାକୁ ଏବଂ ରୁଷରୁ ଅଶୋଧିତ ତେଲ କିଣିବା ବନ୍ଦ କରିବାକୁ ରାଜି ହୋଇଛନ୍ତି, ଯାହା ଏକ ଭଲ ସଙ୍କେତ। କାହିଁକିନା ଭାରତ ରୁଷଠୁ ତେଲ କିଣିବା, ପରୋକ୍ଷ ଭାବରେ ୟୁକ୍ରେନ ଯୁଦ୍ଧକୁ ପାଣ୍ଠି ଯୋଗାଇ ଦେବା ସହ ସମାନ ଥିଲା। ଏବେ ଭାରତ ରୁଷଠୁ ତେଲ ନକିଣିବା ପାଇଁ ଯେଉଁ ନିଷ୍ପତ୍ତି ନେଇଛି ତାହା ସ୍ଵାଗତଯୋଗ୍ୟ ବୋଲି ଟ୍ରମ୍ପ କହିଛନ୍ତି।