କେନ୍ଦୁଝର ଜିଲ୍ଲା ଯୋଡା ଅଞ୍ଚଳରେ ସକ୍ରିୟ ବାଇକ ରାକେଟ ଗ୍ୟାଙ୍ଗକୁ ଧରିଛି ପୋଲିସ | ଏମାନଙ୍କୁ ଧରିବା ପାଇଁ ଅଞ୍ଚଳର ସାଧାରଣ ଲୋକମାନେ ଦୀର୍ଘ ଦିନ ଧରି ଥାନାରେ ଅଭିଯୋଗ କରିଆସୁଥିଲେ ସୁଦ୍ଧା ବିଫଳ ହେଉଥିଲା ପୋଲିସ | ଆଜି ଯୋଡ଼ା ପୋଲିସ ଏହି ମାମଲାରେ ୬ ଜଣଙ୍କୁ ଗିରଫ କରିଛି | ଗିରଫ ୬ଜଣ ହେଲେ ସୌରଭ ମହାକୁଡ ଓରଫ ଗୁଡୁ, ବୀର ସିଂ ମୁଣ୍ଡା, ସନ୍ତୋଷ ମହାନ୍ତ, ଗୋବିନ୍ଦ ମୁଣ୍ଡା, ପୁରୁଷୋତ୍ତମ ମହାନ୍ତ, ଲକ୍ଷ୍ମଣ ଜିତ୍। ୨୦୨୪ ମାର୍ଚ୍ଚ ୧ ତାରିଖରେ ଯୋଡ଼ା ଥାନା ଆମ ବାଗାନ କଲୋନିରେ ରହୁଥିବା ବି ଜୟୀରାମ ରେଡ୍ଡୀଙ୍କର ବାଇକ ନିଜ ଘର ସମ୍ମୁଖରୁ ଚୋରି ହୋଇଯାଇଥିଲା । ଏନେଇ ସେ ଯୋଡ଼ା ଥାନାରେ ସେତେବେଳେ ଲିଖିତ ଅଭିଯୋଗ କରିଥିଲେ ।
ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ଚୋରି ବାଇକ କ୍ରୟ କରିଥିବା ଜାଣିବାକୁ ପାଇ ଏହି ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ |ମାମଲାରେ ଜଡିତ ଥିବା ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଯୋଡ଼ା ଥାନା ଆଇଆଇସି ଲୋକେଶ୍ୱର ସାହୁ ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ନାମରେ ମଧ୍ୟ ଆଗରୁ ଅପରାଧିକ ମାମଲା ରହିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ।