ବାଂଲାଦେଶରେ ଥମୁନି ହିନ୍ଦୁ ବିରୋଧୀ ହିଂସା, ପୁଣି ଗୁଳିକରି ହତ୍ୟା

ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ବିରୋଧରେ ହିଂସା ଥମିବାର ନାଁ ନେଉନାହିଁ। ପୁଣି ଏକ ହୃଦୟବିଦାରକ ଘଟଣାରେ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଗତ ଦୁଇ ସପ୍ତାହ ମଧ୍ୟରେ ଏହା ତୃତୀୟ ହିନ୍ଦୁ ହତ୍ୟା ଘଟଣା ହୋଇଥିବାରୁ ସମଗ୍ର ଘଟଣାକୁ ନେଇ ଗଭୀର ଚିନ୍ତା ଓ ଉଦ୍ବେଗ ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ବାଂଲାଦେଶର ମୟମନସିଂହ ଜିଲ୍ଲା ଭାଲୁକା ଉପଜିଲ୍ଲା ଅଞ୍ଚଳରେ ଅବସ୍ଥିତ ଲବିବ୍‌ ଗ୍ରୁପର ଏକ କପଡ଼ା କାରଖାନାରେ ସୋମବାର ସନ୍ଧ୍ୟା ପ୍ରାୟ ୬.୪୫ଟା ସମୟରେ ଏହି ଘଟଣା ଘଟିଛି। ମୃତ ବ୍ୟକ୍ତିଙ୍କ ନାମ ବଜେନ୍ଦ୍ର ବିଶ୍ୱାସ (୪୨) ବୋଲି ଚିହ୍ନଟ କରାଯାଇଛି। ସେ ଉକ୍ତ କାରଖାନାରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ।

ପୁଲିସ କହିଛି ଯେ, ଅଭିଯୁକ୍ତ ନମନ ମିଆଁ (୨୯) ମଧ୍ୟ ସେହି କାରଖାନାରେ ସିକ୍ୟୁରିଟି ଡ୍ୟୁଟିରେ ଥିଲେ। ଉଭୟ ଅନସାର୍ ବାରାକ୍‌ ଅଞ୍ଚଳରେ କାର୍ଯ୍ୟରତ ଥିବା ବେଳେ ପ୍ରଥମେ ମଧ୍ୟରେ ବଚସା ହୋଇଥିଲା। ପରେ ଅଭିଯୁକ୍ତ ନମନ ମିଆଁ ବଜେନ୍ଦ୍ର ବିଶ୍ୱାସଙ୍କ ଉପରେ ଗୁଳି ଚଳାଇଥିଲେ। ଗୁଳି ବାମ ଜଙ୍ଘରେ ବାଜିବାରୁ ବଜେନ୍ଦ୍ର ଗୁରୁତର ଆହତ ହୋଇଥିଲେ।

ତାଙ୍କୁ ତୁରନ୍ତ ଭାଲୁକା ଉପଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଅନୁଯାୟୀ, ଅଭିଯୁକ୍ତ ଉଗ୍ର ବିଚାରଧାରାରେ ପ୍ରଭାବିତ ଥିବା ସନ୍ଦେହ କରାଯାଉଛି ଏବଂ ଘଟଣାକୁ ନେଇ ତଦନ୍ତ ଜାରି ରହିଛି।

ଉଲ୍ଲେଖଯୋଗ୍ୟ ଯେ, ଡିସେମ୍ବର ୧୮ ତାରିଖରେ ହିନ୍ଦୁ ଯୁବକ ଦୀପୁଚନ୍ଦ୍ର ଦାସଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ତାହାର କିଛି ଦିନ ପରେ ଅନ୍ୟ ଜଣେ ହିନ୍ଦୁ ଯୁବକ ଅମୃତ ମଣ୍ଡଳଙ୍କୁ ମଧ୍ୟ ଗୁଳିକରି ହତ୍ୟା କରାଯାଇଥିଲା। ରବିବାର ରାତିରେ ପୁଣି ବାଂଲାଦେଶରେ ୫ଟି ହିନ୍ଦୁ ଘରକୁ ନିଆଁ ଲଗାଯାଇଥିବା ଖବର ମିଳିଛି।

ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ବିରୋଧରେ ହିଂସା ବଢ଼ିଚାଲିଥିବାରୁ ଏହାକୁ ନେଇ ବିଶ୍ୱବ୍ୟାପୀ ସ୍ତରରେ ଗଭୀର ଉଦ୍ବେଗ ପ୍ରକାଶ ପାଇଛି।