ବସ ଧକ୍କାରେ ଯୁବକ ମୃତ, କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ । ମୃତ ଯୁବକ ଜଣକ ହେଉଛନ୍ତି ତିହିଡି ବ୍ଳକ ସାହାପୁର ପଞ୍ଚାୟତ ଅନ୍ତର୍ଗତ ଝିଙ୍କିରିଆ ଗ୍ରାମର ଜଗନ୍ନାଥ ସାହୁ ।
ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ଗଦି ବଜାର ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ସୂଚନା ମୁତାବକ ପୂର୍ବାହ୍ନରେ ଶ୍ରୀରାମ ନାମକ ବସ ଚାନ୍ଦବାଲିରୁ ଭଦ୍ରକ ଅଭିମୁଖେ ଯାଉଥିଲା । ଗଦି ବଜାର ଜେନା ସାହି ନିକଟରେ ଜଗନ୍ନାଥ ବସରୁ ଓଲ୍ହାଇବା ବେଳେ ତଳେ ପଡି ଯାଇଥିଲେ । ବସର ପଛ ଚକା ତାଙ୍କ ଉପରେ ଚଢ଼ି ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।
ପିରହାଟ ପୋଲିସ ଶବକୁ ଜବଦ କରି ପୋଷ୍ଟବଟମ କରିବା ପରେ ପରିବାରକୁ ହସ୍ତାନ୍ତର କରିଥିଲେ । ମାତ୍ର ପରିବାର ଲୋକେ ଦୁର୍ଘଟଣା ସ୍ଥଳରେ ଶବରଖି ରାସ୍ତା ଅବରୋଧ କରିଛନ୍ତି । କ୍ଷତି ପୂରଣ ଦାବିରେ ଟାୟାର ଜାଳି ରାସ୍ତାରେ ବସି ରହିଛନ୍ତି । ଘଟଣାସ୍ଥଳରେ ଉତେଜନା ଲାଗି ରହିଛି ।