ବର୍ଷ ଆରମ୍ଭରୁ ଶ୍ରୀମନ୍ଦିରରେ ମହାତ୍ରୁଟି !

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ୨୦୨୬ କ୍ୟାଲେଣ୍ଡରକୁ ନେଇ ଏବେ ଭାରି ବିବାଦ ଦେଖାଦେଇଛି। କ୍ୟାଲେଣ୍ଡରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ ଚିତ୍ରରେ ଗୁରୁତର ତ୍ରୁଟି ଥିବା ଦାବି କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ପ୍ରଭୁ ବଳଭଦ୍ର ଏବଂ ବଳଭଦ୍ରଙ୍କ ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ସ୍ଥାପିତ ହୋଇଥିବା ଫଟୋକୁ କ୍ୟାଲେଣ୍ଡରରେ ସ୍ଥାନ ଦିଆଯାଇଥିବାରୁ ଜଗନ୍ନାଥ ପ୍ରେମୀ ଓ ସେବାୟତମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।

ସେହିପରି କ୍ୟାଲେଣ୍ଡରରେ ଥିବା ରଥଯାତ୍ରା ସମ୍ପର୍କିତ ଏକ ଫଟୋକୁ ନେଇ ମଧ୍ୟ ଗୁରୁତର ଅଭିଯୋଗ ଆସିଛି। ଉକ୍ତ ଚିତ୍ରରେ ପ୍ରଥମେ ମା ସୁଭଦ୍ରାଙ୍କ ରଥ, ପରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଏବଂ ଶେଷରେ ଶ୍ରୀବଳଭଦ୍ରଙ୍କ ରଥ ଟଣାଯାଉଥିବା ଦେଖାଯାଇଛି, ଯାହା ପରମ୍ପରା ଓ ଶାସ୍ତ୍ରସମ୍ମତ ନୁହେଁ ବୋଲି ସେବାୟତମାନେ କହିଛନ୍ତି।

ଏହି ତ୍ରୁଟିଗୁଡ଼ିକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ଦାୟିତ୍ୱହୀନତା ସ୍ପଷ୍ଟ ହେଉଥିବା ଅଭିଯୋଗ ହେଉଛି। କ୍ୟାଲେଣ୍ଡର ଛପାହେବା ପୂର୍ବରୁ କେଉଁ ଅଧିକାରୀଙ୍କ ପରାମର୍ଶରେ ଏଭଳି ତ୍ରୁଟିପୂର୍ଣ୍ଣ ଫଟୋକୁ ଅନୁମୋଦନ ଦିଆଯାଇଥିଲା, ସେଥିପାଇଁ ତଦନ୍ତ ଦାବି କରାଯାଇଛି। ଜଗନ୍ନାଥ ସଂସ୍କୃତିକୁ ବିକୃତ କରୁଥିବା ଅନୁଷ୍ଠାନ ଓ ବ୍ୟକ୍ତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପୂର୍ବରୁ ଘୋଷଣା କରିଥିବା ପ୍ରଶାସନ ନିଜେ ଏହି ନିୟମକୁ ଉଲ୍ଲଘଂନ କରିଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

ଜଗନ୍ନାଥ ପ୍ରେମୀ ଓ ସେବାୟତମାନେ ତୁରନ୍ତ ଏହି ତ୍ରୁଟିପୂର୍ଣ୍ଣ କ୍ୟାଲେଣ୍ଡରକୁ ପ୍ରତ୍ୟାହାର କରିବା ସହ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସରକାରୀ ପ୍ରତିକ୍ରିୟା ମିଳିପାରିନାହିଁ।