
ବର୍ଷ ଆରମ୍ଭ ହେବା ସହିତ ଆସିଛି ଭୟାବହ ବିସ୍ଫୋରଣର ଖବର। ସ୍ୱିଜରଲ୍ୟାଣ୍ଡରେ ନୂଆବର୍ଷ ପାଳନ ସମୟରେ ଏକ ବାରରେ ହଟାତ୍ ବିସ୍ଫୋରଣ ଘଟି ଅନେକ ଲୋକଙ୍କ ଜୀବନ ଯାଇଥିବା ସୂଚନା ମିଳିଛି। ବିସ୍ଫୋରଣ ପରେ ବାରଟି ନିଆଁ ପିଣ୍ଡୁଳାରେ ପରିଣତ ହୋଇଯାଇଥିଲା, ଯାହାଫଳରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି।
ସ୍ୱିଜରଲ୍ୟାଣ୍ଡ ପୁଲିସର ସୂଚନା ଅନୁସାରେ, ଏହି ଦୁର୍ଘଟଣା କ୍ରାନ୍ସ ମୋଣ୍ଟାନା ସହରରେ ଘଟିଛି। ନୂଆବର୍ଷ ଉତ୍ସବ ପାଳନ ପାଇଁ ବାରଟିରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିବା ବେଳେ ହଟାତ୍ ଭୟଙ୍କର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ସମୟରେ ଅନେକ ଲୋକ ବାର ଭିତରେ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିଥିବା ଆଶଙ୍କା କରାଯାଉଛି।
ଘଟଣା ଘଟିବା ସହିତ ପୁଲିସ ଓ ଆପତକାଳୀନ ସେବା ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ଘଟଣାସ୍ଥଳକୁ ସୁରକ୍ଷା ବଳ ଘେରାଉ କରି ତଦନ୍ତ ଜୋରଦାର କରାଯାଇଛି।
ତେବେ ଏପର୍ଯ୍ୟନ୍ତ ବିସ୍ଫୋରଣର ସଠିକ୍ କାରଣ ସ୍ପଷ୍ଟ ହୋଇନାହିଁ। ମୃତକଙ୍କ ସଂଖ୍ୟା ଓ କେତେ ଲୋକ ଆହତ ହୋଇଛନ୍ତି, ସେନେଇ ମଧ୍ୟ ପୁଲିସ ପକ୍ଷରୁ ଅଧିକ ସୂଚନା ଦିଆଯାଇନାହିଁ। ତଦନ୍ତ ଚାଲିଥିବା ବେଳେ ଏହା ଦୁର୍ଘଟଣା କି ଷଡଯନ୍ତ୍ର, ସେନେଇ ସମସ୍ତ ଦିଗରୁ ତଦନ୍ତ କରାଯାଉଛି।