ବରିଷ୍ଠ ସାମ୍ୱାଦିକ ନାରାୟଣ ସାହାଣୀଙ୍କ ପରଲୋକ

କେନ୍ଦ୍ରାପଡା ଜିଲ୍ଲାର ପ୍ରଥମ ବୈଦ୍ୟୁତିକ ଗଣମାଧ୍ୟମ ଇଟିଭି ର ସାମ୍ବାଦିକ ନାରାୟଣ ଚନ୍ଦ୍ର ସାହାଣୀଙ୍କ ହୃଦଘାତରେ ଦେହାନ୍ତ ହୋଇଛି । ମୃତ୍ଯୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ସାମ୍ବାଦିକ କ୍ଷେତ୍ରରେ ସାହାଣୀ ବାବୁ ବୋଲି ସାରା ଜିଲ୍ଲାରେ ଗାଁ ଗହଳିଠୁ ଆରମ୍ଭ କରି ବିଭିନ୍ନ ସରକାରୀ ,ବେସରକାରୀ ଅନୁଷ୍ଠାନ ରେ ବେଶ୍ ପରିଚିତ । ସ୍ଵର୍ଗତ ସାହାଣୀ ବାବୁ ତାଙ୍କ ସାମ୍ବାଦିକତା ସମୟରେ ଅନେକ ସାମ୍ବାଦିକଙ୍କୁ ସ୍ଵତନ୍ତ୍ର ପରିଚୟ ଦେଇଛନ୍ତି । ସ୍ଵର୍ଗତ ସାହାଣୀ ୨୦୨୨ ରେ ଖବର ସଂଗ୍ରହ ପାଇଁ ଯିବା ସମୟରେ ଏକ ସଡକ ଦୁର୍ଘଟଣାରେ ଆହାତ ହୋଇଥିଲେ । ପରେ ପକ୍ଷାଘାତ ଅବସ୍ଥାରେ ପାଟକୁରା ରେ ଥିବା ତାଙ୍କ ସହଧର୍ମିଣୀଙ୍କ ବାସଭବନରେ ରହି ଆସୁଥିଲେ । ଗତ ୨୭ ତାରିଖରେ ତାଙ୍କ ଦେହ ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ କରାଯାଉଥିଲା । ହେଲେ ଚିକିତ୍ସଧୀନ ଅବସ୍ଥାରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି ।

ସ୍ଵର୍ଗତ ସାହାଣୀ ଙ୍କ ମୃତ୍ଯୁ ନିକଟରେ ତାଙ୍କର ସହଧର୍ମିଣୀ ଓ ବଡ ଝିଅ ଉପସ୍ଥିତ ଥିଲେ । ସ୍ଵର୍ଗତ ସାହାଣୀ ପ୍ରଥମେ ଘରୋଇ ଦୈନିକ ଖବରକାଗଜ ରୁ ତାଙ୍କର ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ । ପରେ ଜିଲ୍ଲାର ପ୍ରଥମ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ରୂପେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଥିଲେ । ଅନେକ ସ୍ଥାନରେ ସାମ୍ବାଦିକତା କାର୍ଯ୍ୟକରି ଜିଲ୍ଲାରେ ବେଶ ସୁନାମ ଅର୍ଜନ କରିଥିଲେ । ତାଙ୍କର ଆବର୍ତ୍ତମାନରେ ନୀଳାମ୍ବର ରଥ ,ନନ୍ଦିଘୋଷ ର ସାମ୍ବାଦିକ ମଳୟ ମହାନ୍ତିଙ୍କ ସମେତ ବହୁ ବୈଦ୍ୟୁତିକ ଗଣମାଧ୍ୟମର ସମ୍ପାଦକ ଓ ବରିଷ୍ଠ ସାମ୍ବାଦିକ ମାନେ ଶୋକ ପ୍ରକାଶ କରିଛନ୍ତି ।

ସ୍ଵର୍ଗତ ସାହାଣୀ ଙ୍କ ପରଲୋକ ଖବର ପାଇଁ ପାଟକୁରା ବାସଭବନ ଠାରେ ତାଙ୍କର ଶେଷ ଦର୍ଶନ କରିବା ପାଇଁ ସାମ୍ବାଦିକ ମନୋଜ ସ୍ଵାଇଁ , ଦେବାଶିଷ ମିଶ୍ର , ହିମାଂଶୁ ନାୟକ , ପ୍ଲାବନ ସ୍ଵାଇଁ , ପ୍ରତୀକ ମିଶ୍ର , ସୁବାସ ସାହୁ ଙ୍କ ସମେତ ସମାଜସେବୀ ଅଜୟ ରାଉତ , ନାରୀନେତ୍ରୀ ରାଜଲକ୍ଷ୍ମୀ ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ତାଙ୍କ ପାର୍ଥିବ ଶରୀରକୁ ନିଜ ଗାଁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଚେରିପଡା ରେ ଥିବା ପୈତୃକ ବାସଭବନ କୁ ଶୋଭାଯାତ୍ରାରେ ନିଆଯାଇଥିଲା । ଆସନ୍ତା କାଲି ତାଙ୍କ ସାନ ଝିଅ ପହଞ୍ଚିବା ପରେ ତାଙ୍କର ଗାଁ ଶ୍ମଶାନରେ ଶେଷ କୃତ୍ୟ କରାଯିବ ବୋଲି ପରିବାର ଲୋକ ସୂଚନା ଦେଇଛନ୍ତି ।

ସାମ୍ବାଦିକ ନାରାୟଣ ସାହାଣୀ ଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ , ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର , କଂଗ୍ରେସ ନେତା ରତିକାନ୍ତ କାନୁନଗୋ , ବିଜେଡି ନେତା ରବି ସାମଲ ,ବ୍ଲକ ଅଧ୍ୟକ୍ଷ ଅଭୟ ମହାରାଜ ,ସମବାୟବିତ ପ୍ରମୋଦ ସାହୁ , ବିଜେପି ନେତା ତେଜେଶ୍ୱର ପରିଡା ,ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।