ବରପାଲିରେ ଶୀତଳ ଷଷ୍ଠୀ ଯାତ୍ରା ପାଇଁ କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ

ବରଗଡ଼ (ସୂର୍ଯ୍ୟ ନାରାୟଣ ଦାଶ ) ବରଗଡ଼ ଜିଲ୍ଲା ବରପାଲିର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାରେ ଚଳିତ ବର୍ଷ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ଏକ ହଜାର କଳାକାର ଯୋଗ ଦେବେ ବୋଲି ଆଜି ଯାତ୍ରା କମିଟି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି । ଚଳିତ ବର୍ଷ ଆସନ୍ତା ୨୭ ରୁ ଏହି ଯାତ୍ରା ଆରମ୍ଭ ହୋଇ ୨ ତାରିଖ ଦିନ ଯାଏଁ ଅନୁଷ୍ଠିତ ହେବ। କପିଳେଶ୍ଵର ବାବା ୨୭ ତାରିଖ ସନ୍ଧ୍ୟା ରେ ମନ୍ଦିରରୁ ବାହାରି ନଗର ପରିକ୍ରମା କରି ଭଣ୍ଡାର ଗୃହକୁ ଯିବେ । ୨୮ ତାରିଖ ରେ କନ୍ୟା ମନୋନୟନ ବା ପତର ପେଣ୍ଡି, ୨୯ ତାରିଖ ଭୈରବ ବାବାଙ୍କ ଦେବ ନିମନ୍ତ୍ରଣ ଶୋଭାଯାତ୍ରା,୩୦ ରେ ସକାଳେ ଗଣ୍ଠି ଆଳ ଫିଟା ଓ ସନ୍ଧ୍ୟାରେ ବରାନୁଗମନ ଶୋଭାଯାତ୍ରା ହେବ । ଚଳିତ ବର୍ଷ ସ୍ଥାନୀୟ ତହସିଲ ଛକରୁ ବରାନୁଗମନ ଶୋଭାଯାତ୍ରା ଆରମ୍ଭ ହୋଇ ହିମାଦ୍ରି ନଗର ପହଞ୍ଚିବା ପରେ ପରଦିନ ବୈଦିକ ରୀତିରେ ଦେବ ଦମ୍ପତ୍ତିଙ୍କ ବୈବାହିକ କାର୍ଯ୍ୟ ଅନୁଷ୍ଠିତ ହେବ।

ସେହିପରି ୩୧ ତାରିଖରେ ଦେବ ଦମ୍ପତ୍ତିଙ୍କ ଯୁଗଳ ମୂର୍ତ୍ତି ଦର୍ଶନ ବା ବୈଠକ ଯାତ୍ରା ୧ ତାରିଖ ସନ୍ଧ୍ୟାରେ ଲମ୍ବନି ଶୋଭାଯାତ୍ରା ୨ ତାରିଖ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ବା ଦେବ ଦମ୍ପତ୍ତିଙ୍କ ମନ୍ଦିର ପ୍ରବେଶ ସହ ଯାତ୍ରାର ବିରତି ହେବ ବୋଲି ଯାତ୍ରା କମିଟିର ସଭାପତି ସୂଚନା ଦେଇଛନ୍ତି ।

ଅନ୍ୟ ପକ୍ଷରେ ଚଳିତ ବର୍ଷ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଓଡ଼ିଶାର ଢେଙ୍କାନାଳ ଘଣ୍ଟ ବାଦ୍ୟ, କଳାହାଣ୍ଡି ଘୁମୁରା, ସହ ମହାରାଷ୍ଟ୍ର, କେରଳ,ଛତିଶଗଡ଼, ପଶ୍ଚିମ ବଙ୍ଗାଲ ଆଦି ରାଜ୍ୟର ଏକ ହଜାର କଳାକାର ଯୋଗ ଦେବେ ବୋଲି କମିଟିର ସମ୍ପାଦକ ଜୟନ୍ତ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଯାତ୍ରା କମିଟିର ସଭାପତି , ସମ୍ପାଦକଙ୍କ ସମେତ ଚଳିତ ବର୍ଷର କନ୍ୟା ପିତା ସଞ୍ଜୟ ମେହେର ଓ ଯାତ୍ରା କମିଟିର ବହୁ ସଦସ୍ୟ ଉପସ୍ଥିତ ଥିଲେ।ଚଳିତ ବର୍ଷ ଅଧିକ ଜନସମାଗମକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସି ସି ଟିଭି କ୍ୟାମେରା ଲଗାଯିବା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିବା ସହ ପାନୀୟ ଜଳ ଯୋଗାଣ, ଶୌଚାଳୟ ଆଦିର ବ୍ୟବସ୍ଥା କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ପୋଲିସ ଏସ ଡି ପି ଓ,ତହସିଲଦାର ରୁକ୍ମଣ କୁମାର ମେହେର, ପୋଲିସ ଆଇ ଆଇ ଜୟରଶ୍ମୀ ସେଠି,ନଗର ପାଲ ଦିନେଶ ଗହୀର, କାର୍ଯ୍ୟ ନିର୍ବାହୀ ଅଧିକାରୀ ଭୁବନ କୁମାର ଶତପଥୀ ଙ୍କ ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।