
ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ-୨୦୨୫ର ଭବ୍ୟ ସଫଳତା ପରେ ଆୟ-ବ୍ୟୟ ବିଷୟରେ ବିସ୍ତୃତ ଆଲୋଚନା ନିମନ୍ତେ ଏକ ବୈଠକ ଆୟୋଜିତ ହୋଇଛି। ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ସମେତ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ପଦମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା, ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ମାନିନୀ ଭୋଇ, ପୌରାଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ, ପଦମପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୃଣାଲ ମୋତିରାମ ଚୌହାନ, ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ର ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ଶ୍ରୀ ସୁରେଶ୍ୱର ଶତପଥୀ, ଜିଲ୍ଲା ସ୍ତରୀୟ ଅଧିକାରୀ ତଥା କମିଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଉପସ୍ଥିତ ସମସ୍ତ ଅତିଥି ତଥା ଲୋକ ପ୍ରତିନିଧି ଧନୁଯାତ୍ରାର ଅଭୂତପୂର୍ବ ସଫଳତାକୁ ସ୍ୱୀକାର କରି ଆୟୋଜକ କମିଟିର ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଥିଲେ। ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ଶ୍ରୀ ସୁରଶ୍ୱର ଶତପଥୀ ବରଗଡ଼ ୨୦୨୫ ଧନୁଯାତ୍ରା ମହୋତ୍ସବ
ସମ୍ବନ୍ଧୀୟ ଆର୍ଥିକ ବିବରଣୀ ତଥା ଆୟ-ବ୍ୟୟ ବିଷୟରେ ସ୍ପଷ୍ଟ ଭାବେ ଉପସ୍ଥାପନା କରିବା ପରେ ସମସ୍ତଙ୍କ ମଧ୍ୟରେ ଏହାଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ପରେ ମଂଚାସୀନ ଅତିଥିଙ୍କ ଦ୍ୱାରା ଧନୁଯାତ୍ରା ଉପରେ ନିର୍ମିତ ଡକ୍ୟୁମେଣ୍ଟାରୀ ଫିଲ୍ମ ଓ ଏକ ଆକର୍ଷଣୀୟ କଫି ଟେବୁଲ ବୁକ୍ର ଉନ୍ମୋଚନ କରାଯାଇଥିଲା । ଏହି ଦୁଇଟି ସୃଜନାତ୍ମକ ପ୍ରସ୍ତୁତି ବରଗଡ଼ ଧନୁଯାତ୍ରା ମହୋତ୍ସବର ଐତିହ୍ୟ, ସଂସ୍କୃତିକ ବୈଭବ ତଥା ଗୌରବକୁ ସ୍ଥାୟୀ ରୂପ ଦେବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି। ଏହା ଓଡିଶାର ଏହି ବୈଶିଷ୍ଟ୍ୟ ପୂର୍ଣ୍ଣ ଉତ୍ସବକୁ ଦେଶ ଓ ବିଦେଶରେ ଅଧିକ ପ୍ରଚାର କରିବାରେ ସାହାଯ୍ୟ କରିବ। ବୈଠକରେ ସମସ୍ତ ସଦସ୍ୟ ଉକ୍ତ ବର୍ଷର ଧନୁଯାତ୍ରାକୁ ପାରଦର୍ଶୀ ଓ ଆକର୍ଷଣୀୟ ଭାବେ ଆୟୋଜନ କରିଥିବାରୁ ଓଡିଶା ସରକାର ତଥା ଜିଲ୍ଲାର ସମସ୍ତ ଲୋକ ପ୍ରତିନିଧିଙ୍କୁ ଧନ୍ୟବାଦ ଜଣାଇ ଆଗାମୀ ଦିନରେ ଏହି ମହୋତ୍ସବକୁ ଅଧିକ ଆକର୍ଷଣୀୟ ତଥା ବିଶ୍ୱସ୍ତରୀୟ କରିବା ପାଇଁ ଅନୁରୋଧ କରିଥିଲେ ।