ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜମୁର୍ଡା ଗ୍ରାମରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣକ ହେଲେ, ଉକ୍ତ ଗ୍ରାମର ସୁଧାଂଶୁ ପ୍ରଧାନ (୨୫) । ଖବର ପାଇ ବୁଧବାର ପୋଲିସ ଗ୍ରାମକୁ ପହଞ୍ଚି ତନାଘନା ଆରମ୍ଭ କରିଛି। ସୂଚନା ଅନୁଯାୟୀ, ଗତ କିଛିଦିନ ତଳୁ ମୃତ ଯୁବକ ଅନ୍ଯ ୪ଜଣଙ୍କ ସହିତ ବଲାଙ୍ଗିର ଜିଲାର ଏକ କାର୍ଯ୍ୟକ୍ରମକୁ ଯାଇଥିଲେ।


ସେଠାରୁ ସେମାନେ ମଙ୍ଗଳବାର ବିଳମ୍ବିତ ରାତିରେ ଗ୍ରାମକୁ ପହଞ୍ଚି ଥିଲେ। ହେଲେ ମୃତ ଯୁକକ ତାଙ୍କ ଘରକୁ ଫେରି ନଥିଲେ। ବୁଧବାର ସକାଳୁ ଏକ ଗାଡିରେ ତାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ଶରୀରର ଛାତି ସମେତ ବିଭିନ୍ନ ସ୍ଥାନରେ ମାଡ ଦାଗ ରହିଥିବା ଯୋଗୁଁ ତାଙ୍କୁ ପିଟି ହତ୍ୟା କରାଯାଇଥିବା ସନ୍ଦେହ ହେଉଛି। ଅନ୍ୟପକ୍ଷରେ ତାଙ୍କ ସହିତ ଯେଉଁମାନେ ବଲାଙ୍ଗୀର ଜିଲାକୁ ଯାଇଥିଲେ, ସେମାନେ ଫେରାର୍ ଥିବାରୁ ହତ୍ୟା ସନ୍ଦେହ ଦୃଢୀଭୂତ ହୋଇଛି।