
ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାର ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି । ମିସନ ଶକ୍ତି ଅନ୍ତର୍ଗତ ମହିଳାଙ୍କ ପାଇଁ ଗୋଟିଏ ପରେ ଗୋଟିଏ ବଡ଼ ଘୋଷଣା କରାଯାଇଛି। ମିଶନ୍ ଶକ୍ତି ମହିଳା ପରିଧାନ କରିବେ ନୂଆ ପୋଷାକ । ଯେଉଁଥିରେ ରହିବ ଓଡ଼ିଆ ଅସ୍ମିତାର ଝଲକ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଘୋଷଣା କରିଛନ୍ତି ଯେ, ଖୁବଶୀଘ୍ର ମିସନ ଶକ୍ତି ନୂଆ ରୂପରେ ସାମ୍ନାକୁ ଆସିବ। ଏହି ନୂଆ ଡ୍ରେସ୍ କୋଡ୍ ଆସନ୍ତା ଏପ୍ରିଲ ୧ ତାରିଖ, ଉତ୍କଳ ଦିବସ ଅବସରରୁ ଲାଗୁ ହେବ। ତେବେ ଶାଢ଼ୀର ରଙ୍ଗ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟତା ଆଣାଯାଇନାହିଁ। ଏହି ଡ୍ରେସ୍ କୋଡ୍ ମହିଳାଙ୍କ ଏକତା, ପରିଚୟ ଓ ସ୍ୱାଭିମାନକୁ ପ୍ରତିବିମ୍ବିତ କରିବ ବୋଲି କୁହାଯାଇଛି। ଦୀର୍ଘଦିନ ଧରି ଏହି ଦାବି ହୋଇଆସୁଥିଲା । କେବଳ ଏତିକି ନୁହେଁ, ମହିଳାଙ୍କୁ ଦିଆଯିବ ନୂଆ ସ୍ମାର୍ଟ ଫୋନ୍ । ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ୪୬ହଜାର କମ୍ୟୁନିଟି ରିସର୍ଚ୍ଚ ପର୍ସନ ବା ସିଆରପି ମହିଳାଙ୍କୁ ସ୍ମାର୍ଟଫୋନ ଯୋଗାଇ ଦିଆଯିବ । ଏହା ମାଧ୍ୟମରେ ସେମାନେ ଡିଜିଟାଲ ପେମେଣ୍ଟ, ଅନଲାଇନ୍ ଟ୍ରେନିଂ, ବ୍ୟବସାୟିକ ସୂଚନା ଓ ସରକାରୀ ଯୋଜନା ସମ୍ପର୍କିତ ତଥ୍ୟ ପାଇପାରିବେ ।