
ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ ବିଏସ୍ଏଫ୍ ଯବାନ । ପ୍ରଥମେ ମା’ଙ୍କ ମୋବାଇଲ ଫୋନକୁ ଏକ ମେସେଜ ପଠାଇଲେ । ପରେ ଫୋନ୍ରେ ମା’ଙ୍କ ସହିତ କଥା ହେଉଥିବା ସମୟରେ ସର୍ଭିସ ବନ୍ଧୁକରେ ନିଜକୁ ଗୁଳି କରି ଜୀବନ ହାରିଛନ୍ତି ଯବାନ । ମୃତ ଯବାନ ଜଣକ ହେଲେ ଢେଙ୍କାନାଳଜିଲ୍ଲା କାମାକ୍ଷାନଗର ଥାନା ମାଳପୁରା ଗ୍ରାମର ସୁରେଶ ବିଶ୍ୱାଳ। ସେ ଛୁଟିରେ ଘରକୁ ଆସି ଗତ ୩ ତାରିଖରେ କାର୍ଯ୍ୟସ୍ଥଳକୁ ଫେରିଥିଲେ ।
ସୂଚନା ଅନୁସାରେ, ସୁରେଶ ଆଜିକୁ ପନ୍ଦର ବର୍ଷ ହେବ BSFରେ ଯବାନ ଭାବେ କାର୍ଯ୍ୟ କରି ଆସୁଥିଲେ । ୯ ଦିନ ତଳେ ସେ ଘରକୁ ଆସି ଛୁଟି କଟାଇ ଜାମ୍ମୁ କାଶ୍ମୀର ଯାଇଥିଲେ । ଡ୍ୟୁଟିରେ ଥିବା ସମୟରେ ହିଁ ସେ ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଛନ୍ତି । ସବୁଠାରୁ ବଡ଼କଥା ହେଉଛି ସୁରେଶ ଜୀବନ ହାରିବାର କାରଣ ବିଷୟରେ ତାଙ୍କ ମାଆଙ୍କ ଫୋନକୁ ମେସେଜ ପଠାଇଥିଲେ । ଯୋଉଥିରେ ଲେଖା ଥିଲା କି ମୁଁ ମରୁଛି ଯେଉଁଥିପାଇଁ ତୋ ସାନ ପୁଅ ସୁନୀଲ ଆଉ ମୋ ଶଶୁର ଘର ଲୋକ ସମସ୍ତେ ଦାୟୀ । ଯାହାକୁ ନେଇ ସୁରେଶଙ୍କ ମାଆ ନିଜ ପ୍ରତିକ୍ରିୟା ଦେଇଛନ୍ତି l ବଡ଼ ବୋହୂ ଓ ବଡ଼ପୁଅ ମଧ୍ୟରେ ସମ୍ପର୍କ ଠିକ ନରହିବାକୁ ନେଇ ସୁରେଶ ଜୀବନ ହାରିଥିବା କହିଛନ୍ତି ମୃତ ଯବାନଙ୍କ ମା ।
BSF ସେଣ୍ଟରରୁ ମୃତ୍ୟୁ ଖବର ଆସିବା ପରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ। ସେପଟେ ତାଙ୍କ ମୃତ ଦେହ ସ୍ୱତନ୍ତ୍ର ବିମାନ ଯୋଗେ ଆଜି ପୈତୃକ ଗାଁରେ ପହଂଚିବ ବୋଲି ସୂଚନା ରହିଛି।