
ଘନ କୁହୁଡ଼ିରେ ଘେରି ହୋଇଯାଇଛି ସାରା ଓଡ଼ିଶା। ସହରରୁ ଆରମ୍ଭ କରି ଉପାନ୍ତ ଓ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି କୁହୁଡ଼ି ଜନଜୀବନକୁ କଲବଲ କରୁଛି। ରାଜଧାନୀ ଭୁବନେଶ୍ୱର ଓ କଟକ ଟୁଇନ୍ ସିଟିରେ ସକାଳୁ ଘନ କୁହୁଡ଼ି ଏଭଳି ଆସ୍ତରଣ ହୋଇଥିଲା ଯେ ମାତ୍ର ୫ ମିଟର ଦୂରରୁ ବି କିଛି ଦୃଶ୍ୟମାନ ହେଉନଥିଲା। କୁହୁଡ଼ି ଯୋଗୁଁ ସକାଳ ସମୟରେ ଯାନବାହନ ଚଳାଚଳ ଗଭୀର ଭାବେ ପ୍ରଭାବିତ ହୋଇଥିବା ଦେଖାଗଲା।
ଘନ କୁହୁଡ଼ି କାରଣରୁ ନୂଆବର୍ଷରେ ବିମାନ ଯାତ୍ରା ମଧ୍ୟ ପ୍ରଭାବିତ ହୋଇଛି। ଭୁବନେଶ୍ୱର ବିମାନବନ୍ଦରରୁ ଦେଶର ବିଭିନ୍ନ ସ୍ଥାନକୁ ଯିବାକୁ ଥିବା ଅନେକ ବିମାନ ବିଳମ୍ବିତ ହୋଇଥିବାରୁ ଯାତ୍ରୀମାନେ ଦୀର୍ଘ ସମୟ ଧରି ବିମାନବନ୍ଦରରେ ଅପେକ୍ଷା କରି ରହିଥିଲେ। ଏନେଇ ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ, ଦୃଶ୍ୟମାନତା କମ ଥିବାରୁ ସୁରକ୍ଷାକୁ ଗୁରୁତ୍ୱ ଦେଇ ବିମାନ ଚଳାଚଳରେ ସତର୍କତା ଅବଲମ୍ବନ କରାଯାଉଛି।
ସେପଟେ କୁହୁଡ଼ି ପାଇଁ ଚିଲିକା ହ୍ରଦରେ ଭସାପୋଲ ଯାତାୟାତ ସାମୟିକ ଭାବେ ବନ୍ଦ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ହ୍ରଦରେ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଛି। କୋଣାର୍କରେ ମଧ୍ୟ ସକାଳୁ ଘନ କୁହୁଡ଼ି ଆସ୍ତରଣ ଦେଖିବାକୁ ମିଳିଥିବାରୁ ରାସ୍ତାରୁ କୋଣାର୍କ ମନ୍ଦିର ଦୃଶ୍ୟମାନ ହେଉନଥିଲା।
କେନ୍ଦ୍ରାପଡ଼ା ସହ ଅନ୍ୟାନ୍ୟ ଜିଲ୍ଲାରେ ବି ସକାଳ ସମୟରେ ଘନ କୁହୁଡ଼ି ରହୁଥିବାରୁ ୧୦ ମିଟରରୁ ଅଧିକ ଆଗକୁ ଦେଖିବା ମୁସ୍କିଲ ହୋଇପଡ଼ିଛି। ଗାଡ଼ିଚାଳକ ଓ ପଥଚାରୀମାନେ ସାବଧାନତାର ସହ ଯାତାୟାତ କରୁଥିବାବେଳେ, କୁହୁଡ଼ି ସାଙ୍ଗକୁ ପ୍ରବଳ ଶୀତ ଲୋକଙ୍କ ଦୈନନ୍ଦିନ ଜୀବନକୁ ଦୁର୍ବିଷହ କରିଦେଇଛି। ସକାଳୁ ଆରମ୍ଭ ହୋଇଥିବା କୁହୁଡ଼ି ଦିନ ୧୦ଟା ପର୍ଯ୍ୟନ୍ତ ରହୁଥିବା ଦେଖିବାକୁ ମିଳୁଛି।