
ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଗିରଫଦାରୀ ପରେ ସାରା ବିଶ୍ୱରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ପଦକ୍ଷେପକୁ ନେଇ ଆନ୍ତର୍ଜାତୀୟ ସ୍ତରରେ ଅନେକ ପ୍ରଶ୍ନ ଉଠିଛି। ମାଦୁରୋଙ୍କୁ ଗିରଫ ପରେ ନ୍ୟୁୟର୍କର ବ୍ରୁକଲିନ୍ର ମେଟ୍ରୋପଲିଟାନ୍ ଡିଟେନସନ୍ ସେଣ୍ଟର (ଏମଡିସି)ରେ ରଖାଯାଇଛି, ଏକ ଏମିତି ଫେଡେରାଲ୍ ଜେଲ୍ ଯାହା ‘ପୃଥିବୀର ନର୍କ’ ଭାବେ ପରିଚିତ।
ଏମଡିସି ଜେଲ୍ ଦୀର୍ଘ ଦିନ ଧରି ବିଶୃଙ୍ଖଳା, ହିଂସା, ଅବ୍ୟବସ୍ଥା ଓ ମାନବାଧିକାର ଉଲ୍ଲଂଘନ ଅଭିଯୋଗରେ ଖବରରେ ରହିଆସୁଛି। ବର୍ତ୍ତମାନ ଏଠାରେ ପ୍ରାୟ ୧,୩୦୦ କଏଦୀ ରହୁଛନ୍ତି। ଗ୍ୟାଙ୍ଗ ସଦସ୍ୟ, ଡ୍ରଗ୍ସ ମାଫିଆ, ଧଳା କଲର ଅପରାଧୀ ଓ ଆନ୍ତର୍ଜାତୀୟ ଅପରାଧରେ ଅଭିଯୁକ୍ତମାନେ ଏଠାରେ ବନ୍ଦୀ ଅଛନ୍ତି।
ଏହି ଜେଲରେ ସଂଗୀତଜ୍ଞ ଆର. କେଲି ଏବଂ ସିଆନ୍ ଡିଡି କମ୍ବସ୍ ଭଳି ଉଚ୍ଚ-ପ୍ରୋଫାଇଲ୍ କଏଦୀଙ୍କୁ ମଧ୍ୟ ରଖାଯାଇଛି। ଅବସ୍ଥା ଏତେ ଦୟନୀୟ ଯେ କେତେକ ଆମେରିକୀୟ ବିଚାରପତି ଅପରାଧୀମାନଙ୍କୁ ଏହି ଜେଲକୁ ପଠାଇବାକୁ ମଧ୍ୟ ଅସ୍ୱୀକାର କରିଥିବା ଘଟଣା ରହିଛି।
୧୯୯୦ ଦଶକର ପ୍ରାରମ୍ଭରେ ନିର୍ମିତ ଏହି ଜେଲ୍କୁ ମାନହାଟନ୍ ଓ ବ୍ରୁକଲିନ୍ର ଫେଡେରାଲ୍ କୋର୍ଟରେ ବିଚାରାଧୀନ କଏଦୀଙ୍କ ପାଇଁ ବ୍ୟବହାର କରାଯାଉଥିଲା। ବର୍ତ୍ତମାନ ଏଠାରେ ମେକ୍ସିକୋର ସିନାଲୋଆ ଡ୍ରଗ୍ କାର୍ଟେଲର ସହ-ପ୍ରତିଷ୍ଠାତା ଇସମାଏଲ ‘ଏଲ୍ ମାୟୋ’ ଜାମ୍ବାଡା ଗାର୍ସିଆ ଓ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଲୁଇଗି ମାଞ୍ଜିଓନେ ମଧ୍ୟ ରହୁଛନ୍ତି।
ପୂର୍ବରୁ କ୍ରିପ୍ଟୋ ଉଦ୍ୟୋଗୀ ସାମ୍ ବ୍ୟାଙ୍କମ୍ୟାନ୍-ଫ୍ରାଏଡ୍ ଓ ଜେଫ୍ରି ଏପଷ୍ଟାଇନଙ୍କ ସହଯୋଗୀ ଘିସଲେନ୍ ମ୍ୟାକ୍ସୱେଲ ମଧ୍ୟ ଏଠାରେ ବନ୍ଦୀ ଥିଲେ। ଏପଷ୍ଟାଇନଙ୍କ ଜେଲ୍ ମୃତ୍ୟୁ ପରେ ନ୍ୟୁୟର୍କର ମେଟ୍ରୋପଲିଟାନ୍ କରେକ୍ସନାଲ୍ ସେଣ୍ଟରକୁ ବନ୍ଦ କରାଯାଇଥିଲା ଏବଂ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗଭୀର ପ୍ରଶ୍ନ ଉଠିଥିଲା।
ଏମଡିସିରେ ହିଂସା ଏକ ସାଧାରଣ ଘଟଣା। କଏଦୀ ଓ ସେମାନଙ୍କ ଓକିଲମାନେ ଦୀର୍ଘଦିନ ଧରି ଏଠାରେ ମାରପିଟ୍, ଆକ୍ରମଣ ଓ ଅସୁରକ୍ଷିତ ପରିବେଶ ନେଇ ଅଭିଯୋଗ କରୁଛନ୍ତି। ୨୦୨୪ ମସିହାରେ ଏଠାରେ ଦୁଇଜଣ କଏଦୀଙ୍କୁ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା। କିଛି ଜେଲ୍ କର୍ମଚାରୀଙ୍କ ବିରୋଧରେ ଲାଞ୍ଚ ଗ୍ରହଣ ଓ ନିଷିଦ୍ଧ ସାମଗ୍ରୀ ଯୋଗାଣ ଅଭିଯୋଗ ମଧ୍ୟ ରହିଛି।
ମାର୍ଚ୍ଚ ୨୦୨୪ରେ ହୋଇଥିବା ଏକ ହିଂସାତ୍ମକ ଘଟଣାରେ ୨୩ ଜଣ କଏଦୀ ଆହତ ହୋଇଥିଲେ। ଏଥିରେ ଅସ୍ତ୍ର ଚୋରାଚାଲାଣ ମାମଲାରେ ସଜାପ୍ରାପ୍ତ ଏକ କଏଦୀ ଓ ପ୍ରସିଦ୍ଧ ହିପ୍-ହପ୍ କଳାକାର ଜାମ୍ ମାଷ୍ଟର ଜୟଙ୍କ ହତ୍ୟା ସହିତ ସଂପୃକ୍ତ ଅଭିଯୋଗ ମଧ୍ୟ ଉଠିଥିଲା।
୨୦୧୯ ମସିହାର ଶୀତ ଋତୁରେ ଜେଲ୍ରେ ବିଦ୍ୟୁତ୍ ବିଭ୍ରାଟ ହୋଇ ସମଗ୍ର ଜେଲ୍ ଦୀର୍ଘ ସମୟ ଧରି ଅନ୍ଧାରରେ ରହିଥିଲା, ଯାହା କଏଦୀମାନଙ୍କ ପାଇଁ ଅମାନବିକ ପରିସ୍ଥିତି ସୃଷ୍ଟି କରିଥିଲା।
ତଥାପି, ସମ୍ପ୍ରତି ଫେଡେରାଲ୍ ବ୍ୟୁରୋ ଅଫ୍ ପ୍ରିଜନ୍ସ ଦାବି କରିଛି ଯେ ଏମଡିସିର ପରିସ୍ଥିତିରେ କିଛି ଉନ୍ନତି ହୋଇଛି। ସୁରକ୍ଷା କର୍ମୀ ଓ ଡାକ୍ତରଙ୍କ ସଂଖ୍ୟା ବଢ଼ାଯାଇଛି ଏବଂ ବିଦ୍ୟୁତ୍–ପାଣି ସମସ୍ୟାର ସମାଧାନ କରାଯାଇଛି ବୋଲି ସେମାନେ କହିଛନ୍ତି। କିନ୍ତୁ ମାଦୁରୋଙ୍କ ଗିରଫ ପରେ ଏହି ‘ନର୍କ ସମାନ’ ଜେଲ୍ ପୁଣିଥରେ ବିଶ୍ୱ ଦୃଷ୍ଟିରେ ଆସିଛି।