ପୂର୍ବତନ ବାଚସ୍ପତି ସୂର୍ୟ୍ୟ ପାତ୍ରଙ୍କ ବିୟୋଗରେ ଶୋକ

ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଶନିବାର ପରଲୋକ ଘଟିଛି। ସେ ଅସୁସ୍ଥ ଥିବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ତାଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲା ସମେତ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

ଆସନ୍ତାକାଲି ପୂର୍ବାହ୍ନରେ ତାଙ୍କ ପାର୍ଥିବ ଶରୀରକୁ ବିଧାନସଭା, ଲୋକସେବା ଭବନକୁ ନିଆଯିବ। ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ। ତାଙ୍କ ବିୟୋଗ ଗଞ୍ଜାମ ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

ସୂର୍ଯ୍ୟ ଜଣେ ଦକ୍ଷ ରାଜନୀତିଜ୍ଞ ଥିଲେ। ପ୍ରଥମେ ଜନତା ଦଳ ଓ ପରେ ବିଜେଡିର ଆଗଧାଡ଼ିରେ ନେତା ଭାବେ ସୂର୍ଯ୍ୟ ପାତ୍ର ଜଣାଶୁଣା ଥିଲେ। ୧୯୪୮ ଡିସେମ୍ବର ୨୪ରେ ଜନ୍ମଗ୍ରହଣ କରିଥିଲେ। ରାଜ୍ୟ ରାଜନୀତିରେ ଗଞ୍ଜାମ ଜିଲ୍ଲାର ଅନ୍ୟତମ ଟାଣୁଆ ନେତା ସ୍ବର୍ଗତ ପାତ୍ରଙ୍କ ଏକ ସ୍ବତନ୍ତ୍ର ସ୍ଥାନ ରହିଥିଲା। ସେ ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ତଥା ୧୬ତମ ଓଡ଼ିଶା ବିଧାନସଭାର ବାଚସ୍ପତି ଥିଲେ। ୧୯୯୦, ୧୯୯୫, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ହୋଇଥିବା ବିଧାନସଭା ନିର୍ବାଚନରେ ସେ ମୋହନା ଓ ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ, ୧୧ତମ, ୧୨ତମ, ୧୩ତମ, ୧୪ତମ, ୧୫ତମ ଓ ୧୬ତମ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ସୂର୍ଯ୍ୟ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର ରାଜନେତା ଭାବରେ କାର୍ଯ୍ୟ କରୁଥିଲେ । ସେ ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିଲେ। ତାଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା।

Leave a Reply

Your email address will not be published. Required fields are marked *