ପୁରୀ ଯୁବ ବ୍ୟବସାୟୀ ହତ୍ୟା ଉଦ୍ୟମରେ,୩ ଗିରଫ

ପୁରୀର ଯୁବ ବ୍ୟବସାୟୀ ସୋମନାଥ ସାହୁ ଓରଫ କପଙ୍କୁ ହତ୍ୟା ଉଦ୍ୟମ ଘଟଣାରେ କୁମ୍ଭାରପଡା ଥାନା ପୋଲିସ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କପ ସାହୁଙ୍କୁ ହତ୍ୟା ଉଦ୍ୟମ ସହ ମରଣାନ୍ତକ ଆକ୍ରମଣ ହୋଇଥିବା କହିଛି ପୋଲିସ। ଗିରଫ ତିନି ଅଭିଯୁକ୍ତ ହେଉଛନ୍ତି ଅବକାଶ ଲେନର ବାବୁ ପ୍ରଧାନ, ପିକେଡିଏ କଲୋନୀର ସୁନୀଲ କୁମାର ପ୍ରଧାନ ଓ ଚନ୍ଦ୍ରକାନ୍ତ ଜେନା। ପୋଲିସ ଏମାନଙ୍କ ଠାରୁ ଗୋଟିଏ ବନ୍ଧୁକ ସହ ୪ଟି ଗୁଳି ଜବତ କରିଛି।

ଗତ ୨୬ ତାରିଖ ସନ୍ଧ୍ୟା ସମୟରେ ରେଡକ୍ରସ ରୋଡରେ ସୋମନାଥ ସାହୁ ତାଙ୍କ ଗୋଦାମ ଘରେ ବସିଥିବା ବେଳେ ଅଭିଯୁକ୍ତ ମାନେ ତାଙ୍କ ମୁଣ୍ଡକୁ ବନ୍ଧୁକରେ ଆକ୍ରମଣ କରିବା ସହ କାଠ ଫାଳିଆରେ ପିଟି ହତ୍ୟା ଉଦ୍ୟମ କରି ଫେରାର ହୋଇଯାଇଥିଲେ। ତେବେ ଅଭିଯୁକ୍ତ ମାନେ ରାଜ୍ୟ ବାହାରକୁ ଯିବା ପାଇଁ ଯୋଜନା କରୁଥିବାବେଳେ କୁମ୍ଭାରପଡା ପୋଲିସ ସହ ସ୍ୱତନ୍ତ୍ର ଟିମ ସେମାନଙ୍କୁ ଅନୁଗୁଳରୁ ଗିରଫ କରିଥିଲେ।

ଅଧିକ ତଦନ୍ତ ପାଇଁ ଅଭିଯୁକ୍ତମାନଙ୍କୁ ପୋଲିସ ରିମାଣ୍ଡରେ ନେବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୀ ଏସପି ଡଃ କନୱର ବିଶାଳ ସିଂ ଓ ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ। ସେପଟେ ପୁରୀକୁ ଅପରାଧ ମୁକ୍ତ କରିବା ପାଇଁ ଏକ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି, ଗତ ଏକ ମାସ ମଧ୍ୟରେ ୬୦ଜଣ ଅପରାଧୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସିଟି ଡିଏସପି କହିଛନ୍ତି। ତେବେ ସୋମନାଥ ଙ୍କୁ ହତ୍ୟା କରିବା ପଛରେ ଆହୁରି ଏକାଧିକ ବ୍ୟକ୍ତି ଙ୍କ ହାତ ରହିଛି। ସେହିପରି ବନ୍ଧୁକ କେଉଁ ଠାରୁ ଆସିଛି, କିଏ ଦେଇଛି ତାର ଖୋଳତାଡ କରୁଛି ପୋଲିସ୍। ଏ ଦିଗ ରେ ଅଭିଯୁକ୍ତ ଙ୍କୁ ଧରିବା ପରେ ଅଧିକ ସୂଚନା ଦିଆଯିବ ବୋଲି ପୁରୀ ସିଟି ଡିଏସପି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *