ପୁରୀରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ

ପୁରୀ ଜିଲ୍ଲା ସ୍ତରୀୟ ୭୯ ତମ ସ୍ବାଧୀନତା ଦିବସ ପାଳନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ସର୍କିଟ ହାଉସ ସମ୍ମିଳନୀ ଗୃହ ରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିବା ସହ ଏହି ଜାତୀୟ ଦିବସ କୁ ଆନନ୍ଦ, ଉଲ୍ଲାସ ଓ ଶୃଙ୍ଖଳାର ସହ ପାଳନ କରିବାକୁ ଆହ୍ୱାନ ଦେଇଥିଲେ।ପ୍ରତ୍ୟେକ ବିଭାଗ ସେମାନଙ୍କ ଦାୟିତ୍ବ ସୁଚାରୁରୂପେ ନିର୍ବାହ ପାଇଁ ସେ ପରାମର୍ଶ ଦେଇଥିଲେ।
ବିସ୍ତୃତ ଆଲୋଚନା ପରେ ସ୍ଥିର ହେଲା ଯେ ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ତାଳବଣିଆ ସ୍ଥିତ ସ୍ପୋର୍ଟସ କମ୍ଲେକ୍ସ ଠାରେ ୧୫ ଅଗଷ୍ଟରେ ସ୍ବାଧୀନତା ଦିବସ ର ମୁଖ୍ୟ ଅତିଥି ପୂର୍ବାହ୍ନ ୯ ଘଟିକା ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ ଓ ଉଦବୋଧନ ପ୍ରଦାନ କରିବେ। ପରେ ପଡିଆରେ ସଂସ୍କୃତି କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତୁତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ,ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କାର ବିତରଣ,ବୃକ୍ଷ ରୋପଣ କରାଯିବ।ପରେ ପରେ ମୁଖ୍ୟ ଅତିଥି ଉତ୍କଳ ବାଳାଶ୍ରମର ଅନ୍ତେବାସୀ ଙ୍କୁ ମିଷ୍ଟାନ୍ନ ବଣ୍ଟନ, ମୁଖ୍ୟ ଚିକିତ୍ସାଳୟରେ ଫଳ ବଣ୍ଟନ, ଗୋପବନ୍ଧୁ ଆୟୁର୍ବେଦ କଲେଜରେ ରକ୍ତ ଦାନ ଶିବିରରେ ଯୋଗ ଦେବେ। ଅପରାହ୍ନ ରେ ଶ୍ରୀ ଜଗନ୍ନାଥ କ୍ରିକେଟ ପଡିଆ ଠାରେ ଏକ ପ୍ରଦର୍ଶନୀ କ୍ରିକେଟ ମ୍ୟାଚ ପ୍ରଶାସନ ଏକାଦଶ ଓ ଗଣମାଧ୍ୟମ ଏକାଦଶ ମଧ୍ୟରେ ଅନୁଷ୍ଠିତ ହେବ। ସେହିପରି ଜିଲ୍ଲା କାର୍ଯ୍ୟାଳୟ ଓ ଜିଲ୍ଲାରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଅଗଷ୍ଟ ୧୫ ତାରିଖ ଦିନ ପୂର୍ବାହ୍ନ ୮ ଘଟିକା ସୁଦ୍ଧା ଜାତୀୟ ପତାକା ଉତ୍ତୋଳନ କରିବାକୁ ପରାମର୍ଶ ଦିଆଗଲା।

ସ୍ବାଧୀନତା ଦିବସ ଦିନ ପ୍ରତ୍ୟୁଷ ୪.୩୦ ମିନିଟ ସମୟରେ ସହର ମଧ୍ୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରାମଧୂନ ପରିବେଷଣ କରାଯିବ।ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ମାନେ ପ୍ରଭାତ ଫେରି ଶେଷ କରି ଗାନ୍ଧୀ ସ୍ମୃତି ପୀଠ ଠାରେ ଏକତ୍ରିତ ହେବେ ଓ ସେଠାରେ ସକାଳ ୭.୧୫ ଘଟିକା ମଧ୍ୟରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହେବ।ସହର ର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ପୁରୀ ପୌରପାଳିକା ପକ୍ଷରୁ ମାଲ୍ୟାର୍ପଣ କରାଯିବା ସହ ଆଲୋକ ମାଳାରେ ସଜ୍ଜିତ କରାଯିବ। ଅଭ୍ୟାସ ପ୍ୟାରେଡ ଅଗଷ୍ଟ ମାସ ୧୧ ଓ ୧୨ ତାରିଖ ଅପରାହ୍ନ ୩ ଘଟିକା ଓ ୧୩ ତାରିଖ ପୂର୍ବାହ୍ନ ୮ ଘଟିକା ରେ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଅନୁଷ୍ଠିତ ହେବ।ସେହିପରି ଅଗଷ୍ଟ ୧୪ ତାରିଖ ଅପରାହ୍ନ ୩ ଘଟିକା ରେ ସ୍ପୋର୍ଟ୍ସ କମ୍ଲେକ୍ସ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପୂର୍ବାଭାସ ଅନୁଷ୍ଠିତ ହେବ।ପ୍ୟାରେଡ଼ ପଡିଆ ସଜ୍ଜା, ବ୍ୟାରିକେଡ ନିର୍ମାଣ, ଶାନ୍ତି ଶୃଙ୍ଖଳା ରକ୍ଷା, ପରିଷ୍କାର ପରିଛନ୍ନତା, ପାନୀୟ ଜଳ ଯୋଗାଣ, ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଓ ଆମ୍ବୁଲାନ୍ସ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା,ଉତ୍ସବ ମଞ୍ଚକୁ ଫୁଲ କୁଣ୍ଡରେ ସଜେଇବା ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦିଆଗଲା। ଜିଲ୍ଲା ଶିକ୍ଷା ଅଧିକାରୀ ମାଧ୍ୟମିକ ବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ଓ ଏସ ସି ଏସ ସ୍ବୟଂଶାସିତ ମହାବିଦ୍ୟାଳୟ ନୋଡାଲ କଲେଜ ଭାବେ ମହାବିଦ୍ୟାଳୟ ସ୍ତରରେ ଓଡ଼ିଆ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ ଓ ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତାର ଆୟୋଜନ କରି କୃତି ପ୍ରତିଯୋଗୀ ଙ୍କ ନାମ ଜିଲ୍ଲା ପ୍ରଶାସନ କୁ ଅଗଷ୍ଟ ୮ ତାରିଖ ସୁଦ୍ଧା ପ୍ରେରଣ କରିବେ।

ସେହିପରି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଝୋଟି ପ୍ରତିଯୋଗିତା ଆୟୋଜନ କରି ସଫଳ ପ୍ରତିଯୋଗୀ ଙ୍କ ନାମ ପ୍ରଦାନ କରିବେ।ପ୍ରତ୍ୟେକ ବିଭାଗ ସେମାନଙ୍କ କାର୍ଯ୍ୟାଳୟକୁ,ବ୍ୟବସାୟିକ ପ୍ରତିଷ୍ଠାନ ସେମାନଙ୍କ ପ୍ରତିଷ୍ଠାନ କୁ ଓ ବ୍ୟକ୍ତି ବିଶେଷ ମାନେ ନିଜ ଗୃହ କୁ ଆଲୋକ ମାଳାରେ ସଜ୍ଜିତ କରିବାକୁ ଅନୁରୋଧ କରାଗଲା।ପ୍ରାରମ୍ଭରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ବାଗତ ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ଏଡିଏମଓ ଡା ବିନୋଦ ରଥ,ଟ୍ରାଫିକ ଡିଏସପି ରାଜ କୁମାର ପରିଡା,ପୋଲିସ ରିଜର୍ଭ ଇନିସପେକ୍ଟର ଚିତ୍ତରଞ୍ଜନ ମହାନ୍ତି, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ,ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ଶିକ୍ଷାବିତ, ସମାଜସେବୀ, ଗଣମାଧ୍ୟମ ପ୍ରତିନିଧି,ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।