
ପୁଣି ଆସିଲା ଅନ୍ଲାଇନ୍ରେ ମହାପ୍ରସାଦ ବିଜ୍ଞାପନ । ଶ୍ରୀମନ୍ଦିର ଭିତରେ ପଶି ଫଟୋ ଉଠାଇବା ଏବଂ ହିଡେନ କ୍ୟାମେରା ନେଇ ମନ୍ଦିରକୁ ପ୍ରବେଶ କରିବା ଘଟଣା ପରେ ଏବେ ମହାପ୍ରସାଦକୁ କରାଯାଇଛି ଷଡଯନ୍ତ୍ର । ହଁ ଦର୍ଶକବନ୍ଧୁ, ଏକ ସଂସ୍ଥା ସୋସିଆଲ ମିଡିଆରେ ଖଜା ଓ ନିର୍ମାଲ୍ୟ ପୁଡ଼ିଆର ଚିତ୍ର ପୋଷ୍ଟ କରି ଅର୍ଡର ଦେବାକୁ ନିବେଦନ କରିଛନ୍ତି । କିଛି ଅନୁଷ୍ଠାନର ଏଭଳି ମନମାନି ବିରୋଧରେ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଆମ୍ ଆଦମୀ ପାର୍ଟି କର୍ମକର୍ତ୍ତା ଏବଂ ଖଜା ବ୍ୟବସାୟୀ । ଯେତେବେଳେ ପୁରୀରେ ଖଜାର ଦର ୨ଶହରୁ ଆରମ୍ଭ ହେଉଛି, ଠିକ ସେତିକିବେଳେ ହରେକୃଷ୍ଣ ଟିଭିର ଫେସବୁକ ପୋଷ୍ଟରେ ଖଜାର ପ୍ରତି କେଜି ପିଛା ମୂଲ୍ୟ ରଖାଯାଇଛି ୧୨ଶହ ଟଙ୍କା । କିନ୍ତୁ କିଛି ବ୍ୟକ୍ତି ବିଶେଷ ସୋସିଆଲ୍ ମିଡିଆରେ ବିଜ୍ଞାପନ ଦେଇ ୧୨ଶହ ଟଙ୍କାରେ ବିକ୍ରି କରୁଛନ୍ତି । ଉକ୍ତ ସଂସ୍ଥା ଅର୍ଡର ରଖିବା ପରେ ଯେଉଁ ଖଜାକୁ ମହାପ୍ରସାଦ କହି ଲୋକଙ୍କ ନିକଟରେ ପହଞ୍ଚାଉଛି, ଲୋକେ ହୁଏତ ବିଶ୍ୱାସରେ ଏହାକୁ ମହାପ୍ରସାଦ ଭାବି ପାଉଥିବେ । ମାତ୍ର ଏହା ଯେ ଶ୍ରୀମନ୍ଦିରରୁ କିଣାଯାଇ ଭକ୍ତଙ୍କ ନିକଟରେ ପହଞ୍ଚାଯାଉଛି, ତାର ଗ୍ୟାରେଣ୍ଟି ଦେବ କିଏ ? ଦ୍ୱିତୀୟ କଥା ହେଉଛି, ଶ୍ରୀମନ୍ଦିର ବାହାରେ ଖଜା ବିକ୍ରି ହେଉଥିଲେ ହେଁ, ଏହା ମହାପ୍ରସାଦ ନୁହେଁ । ତେଣୁ ବାହାରୁ ଖଜା କିଣି ନେଇ ଏହାକୁ ମହାପ୍ରସାଦ ନାଁ ଦେଇ ଭକ୍ତଙ୍କ ନିକଟରେ ପହଞ୍ଚାଇବା ଅର୍ଥ ଭକ୍ତଙ୍କ ଭାବାବେଗ ସହ ଖେଳିବା । ମହାପ୍ରଭୁ, ଶ୍ରୀମନ୍ଦିର ଓ ଶ୍ରୀମନ୍ଦିରରେ ବିକ୍ରି ହେଉଥିବା ଭୋଗ ଉପରେ ହେଉଥିବା ଷଡଯନ୍ତ୍ର ବିରୋଧରେ କେବେ ରୋକ ଲାଗିବ ଏବଂ ଭକ୍ତଙ୍କ ଭାବାବେଗ ସହ ଖେଳ ଖେଳିବାକୁ ନେଇ ସରକାର ଦୃଷ୍ଟି ଦେବା ନିହାତି ଆବଶ୍ୟକ ।