
କେନ୍ଦୁଝର ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନା ନେଉନାହିଁ। ବିଶେଷ କରି ଏକ ଅଠର ଟିକିଆ ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହେବା ସହ ବହୁ ଧନ ଜୀବନ ନଷ୍ଟ ହେଉଥିବା ଅଭିଯୋଗ ହେଉଛି। କେନ୍ଦୁଝର ବନଖଣ୍ଡ ମଇଦାନକେଲ ବିଟ ଅନ୍ତର୍ଗତ ବାସୁଦେବପୁର ଜଙ୍ଗଲ ନିକଟରେ ଘଟିଛି ଅଘଟଣ। ଗ୍ରାମର ଭାଗିରଥି ମହାନ୍ତ ଗାଈ ଚରେଇବାକୁ ଶୁକ୍ରବାର ନିକଟସ୍ଥ ଜଙ୍ଗଲ ନିକଟକୁ ଯାଇଥିଲେ। ଏହି ସମୟରେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏନେଇ ଥାନାରେ ଏତଲା ଦିଆ ଯାଇନଥିବା ବେଳେ ଆଜି ସକାଳୁ ଗ୍ରାମବାସୀ ତାଙ୍କ ମୃତ ଦେହ ଦେଖି ଘର ଲୋକ ଏବଂ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘର ଲୋକେ ଓ ଜଙ୍ଗଲ ବିଭାଗ କର୍ମଚାରୀ ପହଞ୍ଚି ଭାଗିରଥିଙ୍କ ମୃତ ଦେହ ଉଦ୍ଧାର କରିଥିବା ଜଣାପଡିଛି। ପାରିପାର୍ଶିକ ଘଟଣାରୁ ଭାଗିରଥିଙ୍କ ମୃତ୍ୟୁ ହାତୀ ଆକ୍ରମଣରେ ହୋଇଥିବା ଜଣାପଡୁଥିବା ବେଳେ ମୃତ୍ତ୍ୟ ଶରୀର ଉପରେ ଡାଳ ପତ୍ର ଢାଙ୍କି ଦେଇ ହାତୀ ମାନେ ପଲାଇ ଛନ୍ତି ଶବ ବ୍ୟବଚ୍ଛେଦ ପରେ ଜଣାପଡିବ ବୋଲି ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଇଛି। ଭାଗିରଥିଙ୍କ ପରିବାରକୁ ନିୟମ ଅନୁଯାୟୀ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।