ପୁଟିନଙ୍କ ବାସଭବନ ଡ୍ରୋନ୍‌ ମାଡ଼ ନେଇ ଚର୍ଚ୍ଚା

ରୁଷ୍‌ ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବାକୁ ଆନ୍ତର୍ଜାତିକ ସ୍ତରରେ ଶାନ୍ତି ପ୍ରୟାସ ତୀବ୍ର ହେଉଥିବାବେଳେ, ଏକ ଡ୍ରୋନ୍‌ ଆକ୍ରମଣ ଦାବି ଦୁଇ ଦେଶ ମଧ୍ୟରେ ପୁଣି ଥରେ ଭୟଙ୍କର ଉତ୍ତେଜନା ସୃଷ୍ଟି କରିଛି। ରୁଷ୍‌ ଦାବି କରିଛି ଯେ, ସୋମବାର ନୋଭଗୋରୋଡ ଅଞ୍ଚଳରେ ଥିବା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାଲଡାଇ ବାସଭବନକୁ ଲକ୍ଷ୍ୟ କରି ୟୁକ୍ରେନ୍‌ ପକ୍ଷରୁ ଡ୍ରୋନ୍‌ ଆକ୍ରମଣ ହୋଇଛି। ଏହି ଘଟଣା ରୁଷ୍‌ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠାଇଛି।

ରୁଷ୍‌ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି ଯେ, ଡିସେମ୍ବର ୨୮ ଓ ୨୯ ତାରିଖରେ ୟୁକ୍ରେନ୍‌ ୯୧ଟି ଦୀର୍ଘପଥ ଡ୍ରୋନ୍‌ ମାଧ୍ୟମରେ ଆକ୍ରମଣ ପ୍ରୟାସ କରିଥିଲା। ତାଙ୍କ କଥାନୁସାରେ, ରୁଷ୍‌ର ଏୟାର ଡିଫେନ୍ସ ସିଷ୍ଟମ୍‌ ବହୁ ଡ୍ରୋନ୍‌କୁ ଧ୍ୱଂସ କରିଦେଇଥିଲା, ଫଳରେ ବଡ଼ ମାନବୀୟ କ୍ଷତି ରୋକାଯାଇପାରିଛି। ତେବେ କିଛି ଡ୍ରୋନ୍‌ ରାଷ୍ଟ୍ରପତିଙ୍କ ବାସଭବନ ସମୀପକୁ ପହଞ୍ଚିଥିବା ଦାବି କରାଯାଇଛି।

ଲାଭରୋଭ ଏହି ଆକ୍ରମଣକୁ ‘ଆତଙ୍କବାଦୀ କାର୍ଯ୍ୟ’ ବୋଲି ଆଖ୍ୟା ଦେଇ କହିଛନ୍ତି ଯେ, ଏହା ଶାନ୍ତି ଆଲୋଚନାକୁ ବିଫଳ କରିବା ପାଇଁ ଉଦ୍ଦିଷ୍ଟ। ସେ ସପଷ୍ଟ କରିଛନ୍ତି ଯେ, ରୁଷ୍‌ ସେନାବାହିନୀ ପ୍ରତିଆକ୍ରମଣ ପାଇଁ ଟାର୍ଗେଟ୍‌ ଚିହ୍ନଟ କରିସାରିଛି ଏବଂ ଏହାର ଉଚିତ୍ ଉତ୍ତର ଦିଆଯିବ। ତଥାପି, ଆକ୍ରମଣ ସମୟରେ ପୁଟିନ ବାସଭବନରେ ଉପସ୍ଥିତ ଥିଲେ କି ନାହିଁ, ସେନେଇ ରୁଷ୍‌ କୌଣସି ସରକାରୀ ସୂଚନା ଦେଇନି।

ଅନ୍ୟପକ୍ଷରେ, ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି ରୁଷ୍‌ର ଏହି ଦାବିକୁ ପୂର୍ଣ୍ଣରୂପେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ପୁଟିନଙ୍କ ବାସଭବନ ଉପରେ କୌଣସି ଆକ୍ରମଣ କରାଯାଇନି। ରୁଷ୍‌ ନିଜର ଆଗାମୀ ସାମରିକ କାର୍ଯ୍ୟକଳାପକୁ ଯୁକ୍ତିଯୁକ୍ତ କରିବା ଏବଂ କିବ ଉପରେ ଅଧିକ ଆକ୍ରମଣ କରିବା ପାଇଁ ଏପରି ମିଛ ଦାବି କରୁଛି।” ସେ ଆହୁରି କହିଛନ୍ତି ଯେ, ୟୁକ୍ରେନ୍‌ ସିବିଲିଆନ୍‌ ଟାର୍ଗେଟ୍‌ କିମ୍ବା ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ବାସଭବନକୁ ଲକ୍ଷ୍ୟ କରେନାହିଁ।

ଏହି ଘଟଣା ଏମିତି ଏକ ସମୟରେ ଘଟିଛି, ଯେତେବେଳେ ଆମେରିକା ନେତୃତ୍ୱରେ ଯୁଦ୍ଧ ବନ୍ଦ ପାଇଁ ଉଚ୍ଚସ୍ତରୀୟ ଆଲୋଚନା ଚାଲିଛି। ରବିବାର ଫ୍ଲୋରିଡାରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଜେଲେନ୍‌ସ୍କିଙ୍କ ମଧ୍ୟରେ ପ୍ରାୟ ୩ ଘଣ୍ଟା ଧରି ବୈଠକ ହୋଇଥିଲା। ଏହି ଆଲୋଚନାରେ ୟୁକ୍ରେନ୍‌କୁ ୧୫ ବର୍ଷ ପାଇଁ ସୁରକ୍ଷା ଗ୍ୟାରେଣ୍ଟି ଦେବା ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ, ୟୁକ୍ରେନ୍‌ ଏହାକୁ ପର୍ଯ୍ୟାପ୍ତ ନୁହେଁ ବୋଲି କହି ସହମତି ପ୍ରକାଶ କରିନାହିଁ।

ରାଜନୈତିକ ବିଶ୍ଳେଷକମାନଙ୍କ ମତରେ, ପୁଟିନଙ୍କ ବାସଭବନ ଉପରେ ଡ୍ରୋନ୍‌ ଆକ୍ରମଣ ଦାବି ସତ୍ୟ ହେଉ କି ମିଛ, ଯୁଦ୍ଧକୁ ଆହୁରି ଭୟାବହ କରିପାରେ। ଏହା ଶାନ୍ତି ଆଲୋଚନାକୁ ଦୁର୍ବଳ କରିବା ସହ ଦୁଇ ଦେଶ ମଧ୍ୟରେ ସାମରିକ ମୁହାଁମୁହିଁକୁ ଆହୁରି ତୀବ୍ର କରିପାରେ।