ପାଚିକା ନିଯୁକ୍ତି ରେ ଅନିୟମିତତା

ପାଚିକା ନିଯୁକ୍ତି ରେ ଅନିୟମିତତା । ମିଛ ବୟସ ପ୍ରମାଣପତ୍ରରେ ପାଚିକାଙ୍କୁ ମିଳୁଛି ନିଯୁକ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣରେଖା ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅସ୍ତି ପଞ୍ଚାୟତ ଅନ୍ତର୍ଗତ ଡାଳୁଅ – ୨ ଗ୍ରାମରେ ଥିବା ସୁବର୍ଣ୍ଣରେଖା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପାଚିକା ନିଯୁକ୍ତି ରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ , ସୁବର୍ଣ୍ଣରେଖା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜକୁ ୨୫ ବର୍ଷ ଧରି ଡାଳୁଆ – ୨ ଗ୍ରାମର ଅମ୍ବିକା ଗିରି ଏବଂ ଭାରତୀ ଗିରି ପାଚିକା ଭାବରେ କାର୍ଯ୍ୟ କରି ଆସୁଛନ୍ତି । ହେଲେ ଜାନୁୟାରୀ ୨୦୨୫ ସୁଦ୍ଧା ଉଭୟ ଙ୍କ ବୟସ ୬୧ବର୍ଷ ହୋଇଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରବିନ୍ଦ ସାମଲ ପାଚିକା ଅମ୍ବିକା ଗିରି ଙ୍କ ବୟସାଧିକ ହୋଇଥିବା ରୁ ତାଙ୍କୁ ଆଉ ଚାକିରୀ ରେ ରଖାଯିବ ନାହିଁ ବୋଲି ସୂଚନା ଦେଇଛନ୍ତି ।

ଅନ୍ୟପଟେ ପାଚିକା ଭାରତୀ ଗିରି ଙ୍କ ବୟସ ୬୧ ବର୍ଷ ହୋଇଥିବା ବେଳେ ଚଞ୍ଚକତା କରି ଭୋଟର ପରିଚୟ ପତ୍ର ଏବଂ ଆଧାର କାର୍ଡ ରେ ବୟସ କମାଇ 49 ବର୍ଷ କରି ପ୍ରଧାନ ଶିକ୍ଷକ ତାଙ୍କୁ ପୂନଃ ନିଯୁକ୍ତି ଦେଇଥିବା ଅଭିଯୋଗ କରିଛନ୍ତି ଅମ୍ବିକା । ତେବେ ୬୦ ବର୍ଷ ପରେ କୌଣସି ମହିଳା ପାଚିକା ଭାବରେ କାର୍ଯ୍ୟ କରି ପାରିବେ ନାହିଁ ସରକାରୀ ନିୟମ ରହିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରବିନ୍ଦ ସାମଲ ତାଙ୍କୁ କେଉଁ ଆଧାରରେ ନିଯୁକ୍ତି ଦେଇଛନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅମ୍ବିକା ।

ତେବେ ଏନେଇ ଅମ୍ବିକା ପ୍ରଧାନଶିକ୍ଷକଙ୍କୁ ବୟସ ଚଞ୍ଚକତା ବିଷୟରେ ପଚାରି କୌଣସି ସନ୍ତୋଷଜନକ ଉତ୍ତର ନପାଇବାରୁ ଅମ୍ବିକା ଗତ ବିଧାନସଭା ନିର୍ବାଚନ ଭୋଟର ଲିଷ୍ଟ ଯାଞ୍ଚ କରିବାରୁ ସେଥିରେ ୬୦ ବର୍ଷ ହୋଇଥିବା ଜାଣିବାକୁ ପାଇଥିଲେ । ଏହାସହ ଭାରତୀ ଅନଲାଇନ ରେ ଭୋଟର ପରିଚୟ ପତ୍ରରେ ବୟସ ସଂଶୋଧନ ପାଇଁ ଆବେଦନ କରିଥିବା ବେଳେ ବୟସ କମେଇ ନୂତନ ଭୋଟର ପରିଚୟ ପତ୍ର ପାଇଥିବା ଜଣାପଡିଛି | ତେବେ ଦାୟିତ୍ବ ରେ ଥିବା ବିଏଲଓ କେମିତି ୧୨ ବର୍ଷ କମେଇ ଭୋଟର ପରିଚୟ ପତ୍ର ଆବେଦନ ପତ୍ର ଗ୍ରହଣ କରି ନୂତନ ଭୋଟର ପରିଚୟ ପତ୍ର ପ୍ରଦାନ କରିଛନ୍ତି ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏନେଇ ଅମ୍ବିକା ବାଲିଆପାଳ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ ସମେତ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲାପାଳ ଏବଂ ବିଭାଗୀୟ ମନ୍ତ୍ରୀ ଙ୍କୁ ଲିଖିତ ଅଭିଯୋଗ କରିଥିବା ବେଳେ ନିରପେକ୍ଷ ତଦନ୍ତ କରି ତାଙ୍କୁ ନ୍ୟାୟ ପ୍ରଦାନ କରିବା ସହ ଏଭଳି ଅନିୟମିତତା କରିଥିବା ଅଧିକାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି |