
ପଶ୍ଚିମାଝଡ଼ ପ୍ରଭାବରେ ଦିଲ୍ଲୀ-ଏନ୍ସିଆର୍ ସହ ଉତ୍ତର ଭାରତର ଅନେକ ଅଞ୍ଚଳରେ ପାଗର ହଠାତ୍ ପରିବର୍ତ୍ତନ ଦେଖାଦେଇଛି | ଶୁକ୍ରବାର ସକାଳୁ ଦିଲ୍ଲୀ-ଏନ୍ସିଆର୍ରେ ବର୍ଷା ହୋଇଥିବାବେଳେ, ସିମ୍ଲା ଓ ମନାଲିରେ ଚଳିତ ବର୍ଷର ପ୍ରଥମ ତୁଷାରପାତରେ ରେକର୍ଡ |
ଜମ୍ମୁ-କାଶ୍ମୀରର ପାହାଡ଼ିଆ ଅଞ୍ଚଳ, ବିଶେଷକରି କାଶ୍ମୀର ଉପତ୍ୟକା ଓ ଗୁଲମର୍ଗରେ ପ୍ରବଳ ତୁଷାରପାତ ହୋଇ ସମଗ୍ର ଅଞ୍ଚଳ ବରଫ ଚାଦରରେ ଢାଙ୍କି ହୋଇଯାଇଛି । ତୁଷାରପାତ ଯୋଗୁଁ ଅନେକ ସଡ଼କ ପଥ ବନ୍ଦ ରହିଥିବାବେଳେ, ସତର୍କତାମୂଳକ ପଦକ୍ଷେପ ଭାବେ ନବଯୁଗ ଟନେଲ ପାଖ ଜମ୍ମୁ–ଶ୍ରୀନଗର ଜାତୀୟ ରାଜପଥକୁ ସାମୟିକ ଭାବେ ବନ୍ଦ କରାଯାଇଛି। ଖରାପ ପାଗ ଯୋଗୁଁ ଅନେକ ବିମାନ ଉଡ଼ାଣ ମଧ୍ୟ ବାତିଲ ହୋଇଛି।
ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ସକ୍ରିୟ ପଶ୍ଚିମାଝଡ଼ ପ୍ରଭାବରେ ଦିଲ୍ଲୀ, ପଞ୍ଜାବ, ହରିୟାଣା ଓ ଉତ୍ତରାଖଣ୍ଡର ଅନେକ ଅଞ୍ଚଳରେ ଝଡ଼, ବର୍ଷା ଓ ତୁଷାରପାତର ସମ୍ଭାବନା ରହିଛି। ଦିଲ୍ଲୀ-ଏନ୍ସିଆର୍ ସହ ପଞ୍ଜାବ ଓ ହରିୟାଣା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଘଣ୍ଟାପ୍ରତି ୩୦–୪୦ କି.ମି. ବେଗରେ ପବନ ବହିବା ସହ ବିଜୁଳି ଘଡ଼ଘଡ଼ିର ମଧ୍ୟ ସମ୍ଭାବନା ରହିଛି।
ବର୍ଷା ପ୍ରଭାବରେ ଦିଲ୍ଲୀର ତାପମାତ୍ରା ଗୁରୁବାର ୨୭.୧ ଡିଗ୍ରୀ ସେଲସିୟସ ସହ ସାତ ବର୍ଷର ସବୁଠାରୁ ଉଷ୍ଣ ଜାନୁଆରି ଦିନ ରେକର୍ଡ କରିଥିଲା | ଶୁକ୍ରବାର ସର୍ବାଧିକ ତାପମାତ୍ରା ୧୯ ଡିଗ୍ରୀ ଓ ସର୍ବନିମ୍ନ ୧୨ ଡିଗ୍ରୀ ରହିପାରେ ବୋଲି IMD ପୂର୍ବାନୁମାନ କରିଛନ୍ତି |
ଏହି ମଧ୍ୟରେ ବର୍ଷା କାରଣରେ ଦିଲ୍ଲୀ-ଏନ୍ସିଆର୍ର ବାୟୁ ଗୁଣବତ୍ତାରେ ସାମାନ୍ୟ ସୁଧାର ଆସିଛି। ଦିଲ୍ଲୀର AQI ୩୦୨, ନୋଏଡାରେ ୨୯୩ ଓ ଗୁରୁଗ୍ରାମରେ ୨୭୨ ରେକର୍ଡ ହୋଇଛି। IMD ଆକଳନ ଅନୁଯାୟୀ, ଜାନୁଆରି ୨୩ ଓ ୨୪ରେ ବାୟୁ ଗୁଣବତ୍ତା ‘ମଧ୍ୟମ’ ରହିପାରେ, କିନ୍ତୁ ୨୫ରେ ପୁଣି ‘ଖରାପ’ ଅବସ୍ଥାକୁ ଫେରିପାରେ।
ଉତ୍ତରାଖଣ୍ଡର ଉତ୍ତରକାଶୀ, ଡେରାଡୁନ, ରୁଦ୍ରପ୍ରୟାଗ ଓ ଚାମୋଲିରେ ପ୍ରବଳ ବର୍ଷା ଓ ତୁଷାରପାତ ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବାବେଳେ, ଅନ୍ୟ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ବର୍ଷା ଯୋଗୁଁ ଉତ୍ତରାଖଣ୍ଡରେ ଜଙ୍ଗଲ ନିଆଁର ଆଶଙ୍କା କମିବ ବୋଲି ଅନୁମାନ କରାଯାଇଛି |