ପରଲୋକରେ ଭୋଗରାଇର ପୂର୍ବତନ ବିଧାୟକ

ଆଉ ନାହାଁନ୍ତି ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସ । ତାଙ୍କର 86 ବର୍ଷରେ ଦେହାନ୍ତ ଘଟିଛି। ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିବାରୁ ଆଜି ଭୋର 3.45 ମିନିଟରେ ତାଙ୍କର ଦେହାନ୍ତ ହୋଇଛି । ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଅନନ୍ତଙ୍କର ପରଲୋକ ହୋଇଥିବା ତାଙ୍କ ପୁଅ ଅଭିଜିତ ଦାସ ସୂଚନା ଦେଇଛନ୍ତି । ଅନନ୍ତଙ୍କ ଶେଷ ଦର୍ଶନ ଲାଗି ଦଳର ନେତା ଓ କର୍ମୀଙ୍କ ବାସଭବନରେ ଭିଡ଼ ଜମିଛି । ଅନ୍ତିମ ଯାତ୍ରାରେ ଯିବା ପୂର୍ବରୁ ବିଜେଡିର ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନ ଓ ବିଧାନସଭାକୁ ଅନନ୍ତଙ୍କ ମୃତଦେହ ଅଣାଯିବ। ବିଜେଡି ସଭାପତି ନବୀନ ପଟ୍ଟନାୟକ, ଦଳର ବିଧାୟକ ଅନନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଭୋଗରାଇ ନିର୍ବାଚନ ମଣ୍ଡଳୀରୁ ଲଗାତାର 4 ଥର ବିଜେଡ଼ିର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଅନନ୍ତ । ନବୀନ ସରକାରରେ 2 ଥର ମନ୍ତ୍ରୀ ମଧ୍ୟ ହୋଇଥିଲେ ।

ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ବାଲିମ ପଞ୍ଚାୟତର କୁରୁଠିଆ ଗ୍ରାମରେ 1940 ମସିହା ଅଗଷ୍ଟ 28 ତାରିଖରେ ଜନ୍ମଗ୍ରହଣ କରିଥିଲେ ଅନନ୍ତ । ଏମଏ ଏଲଏଲବି ପାସ କରିବା ପରେ ଅନନ୍ତ ସରକାରୀ ଚାକିରି କରିଥିଲେ । ଚାକିରି ଜୀବନରେ ସେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ଦାୟିତ୍ବ ତୁଲାଇଥିଲେ ।ନବକଳେବର ସମୟରେ ପୁରୀର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଥିଲେ ଅନନ୍ତ ଦାସ । ଭଦ୍ରକରେ ଏଡିଏମ ଥାଇ ସେ ଅବସର ନେଇଥିଲେ।ଚାକିରିରୁ ଅବସର ପରେ ସେ ଭୋଗରାଇ ବିକାଶ ପରିଷଦ ଗଠନ କରିଥିଲେ । ଭୋଗରାଇର ବିକାଶ ପାଇଁ ଅଣ୍ଟା ଭିଡ଼ି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରିଥିଲେ । ପରେ ସେ ରାଜନୀତିରେ ପ୍ରବେଶ କରିଥିଲେ । ଏନସିପିରୁ ତାଙ୍କ ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା । ପ୍ରଥମେ ବିଜେଡ଼ିରେ ପ୍ରବେଶ କରି ବଡ଼ ପଦବୀରେ ଦାୟିତ୍ୱ ଗ୍ରହଣ କରିଥିଲେ। 2004 ରୁ 2019 ଯାଏଁ କ୍ରମାଗତ ଭାବେ ନିର୍ବାଚନ ଲଢ଼ି ଜିତିଛନ୍ତି । ନବୀନ ସରକାରରେ ଶିଳ୍ପ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ହୋଇଛନ୍ତି । ସେହିପରି ସେ ସରକାରୀ ଦଳର ମୁଖ୍ୟ ସଚେତକ ହୋଇଥିଲେ । ଶିଳ୍ପ ମନ୍ତ୍ରୀ ଥିବାବେଳେ ସେ ବିଦେଶ ଯାଇ ଶିଳ୍ପର ଅଭିବୃଦ୍ଧି ଦିଗରେ ପଦକ୍ଷେପ ଗ୍ରହଣ କରିଥିଲେ। ବାଲେଶ୍ଵର ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି । ବିଜେଡି ସଭାପତି ତାଙ୍କୁ ବାଲେଶ୍ଵର ଜିଲ୍ଲା ସଭାପତି ମଧ୍ୟ କରିଥିଲେ । ଅନନ୍ତ ବହୁ ଗୁରୁତ୍ବପୂର୍ଣ୍ଣ ପଦପଦବୀ ଗ୍ରହଣ କରିବା ସହ ସଫଳତାର ସହ ଦାୟିତ୍ବ ତୁଲାଇଛନ୍ତି । ଭୋଗରାଇର ସାମଗ୍ରିକ ବିକାଶରେ ଅନନ୍ତଙ୍କ ଯୋଗଦାନ ଅତୁଳନୀୟ ।