ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳରେ ବାଇକ ଚୋରଙ୍କ ଉତ୍ପାତ ବଢିଯାଇଥିବାରୁ ଏସପି ପିଏସ୍ ମୀନାଙ୍କ ନେତୃତ୍ବରେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ଅମ୍ରିତ ପାଳ କୌର ଓ ଥାନା ଅଧିକାରୀ ମମତା ନାଏକଙ୍କ ପ୍ରତ୍ୟକ୍ଷ ଅନୁଧ୍ୟାନରେ ଏକ ଟିମ୍ ଗଠନ କରାଯାଇଥିଲା। ଏସ୍ଆଇ ସୁରେଶ ନାଏକ, ସହକର୍ମୀ ଏଚ୍ ଗଡ଼ତିଆ, ଡିଡି ଧରୁଆ, ଆରଏମ ସାହୁ ଗାଇସିଲେଟ ରାସ୍ତା କୁଡାସିଂହା ଛକରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ବାଇକ୍ରେ ତାଲପାଲିର ଦୁଇଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲେ।
ପୋଲିସ ଯାଞ୍ଚରେ ସେହି ବାଇକ ଚୋରୀ ବାଇକ ବୋଲି ଜାଣିବାକୁ ପାଇଥିଲେ, ପରେ ଏହି ଚୋରୀରେ ଆହୁରି ୫ ଜଣ ସଂପୃକ୍ତ ଥିବା ତଦନ୍ତରୁ ଜଣାପଡ଼ିଥିଲା। ସମସ୍ତ ୭ ଅଭିଯୁକ୍ତଙ୍କୁ କାବୁ କରି ୪ଟି ନମ୍ବର ବିହୀନ ବାଇକ୍ ସହ ଆହୁରି ୧୩ଟି ଚୋରା ବାଇକ ଉଦ୍ଧାର କରାଯାଇଛି। ଅନ୍ୟ ଚୋରି ବାଇକ୍ଗୁଡ଼ିକର ତଦନ୍ତ ପ୍ରକ୍ରିୟା ଚାଲୁ ରହିଛି ବୋଲି ପଦ୍ମପୁର ଏସ୍ଡିପିଓ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ସମସ୍ତ ୭ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।