ନୂଆ ଫସଲ ଦେବୀଙ୍କ ଅର୍ପଣ କରିବାର ପର୍ବ “ଅଶିଣ ଯାତ୍ରା”

ଆଦିବାସୀ ଅଧ୍ୟୁଷିତ ପାହାଡିଆ ଅଞ୍ଚଳରେ ନିଆଁରା ଅଶିଣ ପର୍ବ ପାଳିତ । ଗଜପତି ଜିଲ୍ଲା ନୂଆଁଗଡ ବ୍ଳକ ବାଙ୍ଗସିଙ୍ଗସାହି ଗ୍ରାମରେ ମହାଡମ୍ବରରେ ଅଶିଣ ପର୍ବ ପାଳିତ ହୋଇଯାଇଛି । ଗ୍ରାମ ଦେବୀ କୁରେଇଶୁଣୀ ମନ୍ଦିରରେ ସମ୍ପୂର୍ଣ୍ଣ ରୀତି ନୀତିରେ ଅଶିଣ ପୂଜାର୍ଚ୍ଚନା କରାଯାଇଛି । ଏହି ପର୍ବ ପାଳନ ବେଳେ ଏଠି କୌଣସି ଆଖି ଝଲସା ଆଲୋକ ସଜ୍ଜା କି ପଶୁ ହତ୍ୟା ବିଧି ବ୍ୟବସ୍ଥା ନାହିଁ । ଗ୍ରାମର ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ କାନ୍ଧକୁ କାନ୍ଧ ମିଶାଇ ଆଦିବାସୀଙ୍କ ପାରମ୍ପରିକ ବାଜା-ଢୋଲ, ମାଦଳ, ଚାଙ୍ଗୁର ତାଳେ ତାଳେ ନାଚି ଭାବ ଭକ୍ତିରେ ପର୍ବ ପାଳିଛନ୍ତି। ପାହାଡ଼ର ଶୀର୍ଷରେ ଅବସ୍ଥିତ ଏହି ଗ୍ରାମଟି ବହୁ ପୁରାତନ ହୋଇଥିବା ବେଳେ ଏବେ ଘର ସଂଖ୍ୟା ମାତ୍ର ୪୦ । ଅତି ଛୋଟିଆ ଏହି ଗ୍ରାମରେ ଅଧିକାଂଶ ଲୋକେ ସରକାରୀ ଚାକିରିଆ। ପାଠ ପଢା ପ୍ରତି ସମସ୍ତଙ୍କର ରହିଛି ବେଶ ଆଗ୍ରହ । ତେଣୁ ଚାକିରି ଓ ପାଠ ପଢା ପାଇଁ କିଏ କେଉଁଠିକୁ ଯାଉଥିଲେ ମଧ୍ୟ ଆଶ୍ୱିନ ମାସ ଦଶହରା ଛୁଟିରେ ସମସ୍ତେ ହୋଇଥାନ୍ତି ଗାଁ ମୁହାଁ ଓ ପାଳନ୍ତି ଅଶିଣ ଯାତ୍ରା । ଏହି ପର୍ବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଏହି ଆଦିବା ସୀମାନେ ଧାନ, କମଳା, ନାରଙ୍ଗୀ, ହଳଦି ଯାହା ବି କିଛି ଅମଳ କରିଥାନ୍ତି, ତାକୁ ଦେବୀଙ୍କୁ ଲାଗି କରନ୍ତି । ଏହା ପରେ ହିଁ ସେହି ଫସଲ ଲୋକେ ବ୍ୟବହାର କରନ୍ତି । ପୂର୍ବରୁ ଦେବୀମା’ଙ୍କ ନିକଟରେ ଜୀବ ହତ୍ୟା କରି ରକ୍ତ ପକାଯାଉଥିଲା । ସମୟକ୍ରମେ ଏହା ସମ୍ପୂର୍ଣ୍ଣ ବନ୍ଦ କରାଯାଇ କେବଳ ପଞ୍ଚାମୃତ ସିଞ୍ଚନ କରାଯାଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି

ସରକାର ରାଜ୍ୟବ୍ୟାପୀ ସମସ୍ତ ମଠ ମନ୍ଦିରକୁ ସହାୟତା ଯୋଗାଉଛନ୍ତି। କଳାକାରଙ୍କ ପାଇଁ ରହିଛି ଯୋଜନା। କିନ୍ତୁ ବାଙ୍ଗସିଙ୍ଗସାହିର ଦେବୀ ମନ୍ଦିର ଓ ଏଠାକାର କଳାକାରଙ୍କ ପ୍ରତି ସରକାରଙ୍କ ନାହିଁ ଦରଦ। ଗ୍ରାମରେ ଅନେକ ସମସ୍ୟା ଲାଗି ରହିଛି। ଗାଁଟି ମୌଳିକ ସୁବିଧା ସୁଯୋଗରୁ ଦୂରରେ ରହିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ରହିଛି ଅସନ୍ତୋଷ।

କାହିଁ କେଉଁ ପୁରାତନ କାଳରୁ ଏହି ପର୍ବ ପାଳନ ହୋଇ ଆସୁଛି। ପାହାଡ ଉପରେ ଥିବା ଏହି ଗ୍ରାମ ଅନ୍ୟ ଆଦିବାସୀ ଇଲାକାଠାରୁ ବେଶ ଭିନ୍ନ। ଏଠାର ଲୋକେ ମାଦକ ଦ୍ରବ୍ୟକୁ ସମ୍ପୁର୍ଣ୍ଣ ବାରଣ କରିଥିବା ବେଳେ ପୂଜାରେ ଜୀବ ହତ୍ୟା ପ୍ରଥାକୁ ମଧ୍ୟ ନିଷିଦ୍ଧ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ତେବେ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଥିବା ଏହି ଗାଁ ପ୍ରତି ସରକାର ଦୃଷ୍ଟି ଦେଲେ ଗ୍ରାମବାସୀଙ୍କ ଉନ୍ନତି ହେବ ବୋଲି ବିଶ୍ବାସ କରାଯାଉଛି।

Leave a Reply

Your email address will not be published. Required fields are marked *