
ନୂଆବର୍ଷ ସେଲିବ୍ରେସନ୍କୁ ନେଇ ରାଜଧାନୀ ଭୁବନେଶ୍ୱରକୁ କଡ଼ା ସୁରକ୍ଷା ବଳୟରେ ଆଣିଛି କମିଶନରେଟ ପୋଲିସ। ସହରର ପ୍ରତ୍ୟେକ କୋଣକୁ ସିସିଟିଭି ନଜରରେ ରଖାଯିବା ସହ ଜିରୋ ନାଇଟ୍ ସେଲିବ୍ରେସନ୍ ନାଁରେ କୌଣସି ନିୟମ ଉଲ୍ଲଂଘନକୁ ପୋଲିସ କେବେବି ବରଦାସ୍ତ କରିବ ନାହିଁ। ଏଥିପାଇଁ ‘ଜିରୋ ଟଲେରାନ୍ସ’ ନୀତି ଅନୁସରଣ କରାଯିବ ବୋଲି ସପଷ୍ଟ କରିଛି କମିଶନରେଟ ପୋଲିସ।
ଏହାପୂର୍ବରୁ ସହରବାସୀଙ୍କୁ ସତର୍କ କରାଯାଇଛି। “ମତୁଆଲା ହୁଅନ୍ତୁ, କିନ୍ତୁ କ୍ରାଇମ କରନ୍ତୁ ନାହିଁ” ବୋଲି ସପଷ୍ଟ ବାର୍ତ୍ତା ଦେଇଛନ୍ତି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ।
କମିଶନରେଟ ପୋଲିସ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ରାଜଧାନୀର ୧୮ଟି ସ୍ଥାନରେ ନାକାବନ୍ଦୀ ବ୍ୟବସ୍ଥା କରାଯିବ। ସୁରକ୍ଷା ପାଇଁ ୧୮ ପ୍ଲାଟୁନ ଅତିରିକ୍ତ ଫୋର୍ସ ସାରା ଭୁବନେଶ୍ୱରରେ ମୁତୟନ ରହିବେ। ସେହିପରି ୨୯ଟି ଗୁରୁତ୍ୱପୂର୍ଣ୍ଣ ଛକରେ ୱାଚ୍ ଟିମ୍ ଦ୍ୱାରା କଡ଼ା ଯାଞ୍ଚ କରାଯିବ। ଜିରୋ ନାଇଟ୍ରେ ରାତି ୧୨ଟା ପରେ ସହରର ସଂବେଦନଶୀଳ ଅଞ୍ଚଳ ଉପରେ କ୍ୱିକ୍ ରିଏକ୍ସନ୍ ଟିମ୍ ବିଶେଷ ନଜର ରଖିବ।
ହୋଟେଲ, ବାର ଓ ପବ୍ଗୁଡ଼ିକୁ ରାତି ୧୨ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ କରିବାକୁ ଅନୁମତି ମିଳିଛି। ତେବେ ଆପାର୍ଟମେଣ୍ଟ କିମ୍ବା କଲୋନୀ ଭିତରେ ସେଲିବ୍ରେସନ୍ କରୁଥିବା ଲୋକମାନେ ନିୟମାବଳୀକୁ କଢ଼ାକଢ଼ି ଭାବେ ମାନିବାକୁ ପଡ଼ିବ। ଡିଜେ ବଜାଇବାକୁ କାହାକୁ ମଧ୍ୟ ଅନୁମତି ନଥିବା କଥା ପୋଲିସ କମିଶନର ସପଷ୍ଟ କରିଛନ୍ତି।
ନୂଆବର୍ଷ ଅବସରରେ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସହରର ୪ଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀ—ନନ୍ଦନକାନନ, ଧଉଳି, ଲିଙ୍ଗରାଜ ମନ୍ଦିର ଓ ଖଣ୍ଡଗିରିରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବ। ମହିଳାଙ୍କ ସୁରକ୍ଷାକୁ ବିଶେଷ ପ୍ରାଥମିକତା ଦିଆଯାଇଥିବାବେଳେ, ଅସୁରକ୍ଷିତ ସ୍ଥାନକୁ ନଯିବା ପାଇଁ ପୋଲିସ ପରାମର୍ଶ ଦେଇଛି।
ପୋଲିସ ସପଷ୍ଟ କରିଛି ଯେ, ମଦ ପିଇ ଡ୍ରାଇଭିଂ କଲେ ଗାଡ଼ି ସିଜ୍ କରାଯିବ ଏବଂ କଠୋର ଆଇନଗତ ପଦକ୍ଷେପ ନିଆଯିବ। ଜିରୋ ନାଇଟ୍ରେ ଶାନ୍ତି, ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରାଯାଇଛି।