ନୂଆବର୍ଷ ଉତ୍ସବରେ ରାଜଧାନୀରେ ମଦ ବିକ୍ରିରେ ରେକର୍ଡ ଭାଙ୍ଗିଛି

ନୂଆବର୍ଷ ସେଲିବ୍ରେସନ୍‌ର ମଉଜରେ ଏଥର ଭୁବନେଶ୍ୱରରେ ମଦ ବିକ୍ରି ସମସ୍ତ ରେକର୍ଡ ଭାଙ୍ଗିଛି। ୨୦୨୫ ମସିହାର ଶେଷ ସପ୍ତାହରେ ରାଜଧାନୀରେ ଦେଶୀ–ବିଦେଶୀ ମିଶାଇ ମୋଟ ୪ ଲକ୍ଷ ଲିଟରରୁ ଅଧିକ ମଦ ବିକ୍ରି ହୋଇଥିବା ସୂଚନା ଦେଇଛି ଅବକାରୀ ବିଭାଗ। ବଡ଼ଦିନରୁ ଆରମ୍ଭ କରି ଜିରୋ ନାଇଟ୍ ସେଲିବ୍ରେସନ୍‌ ପର୍ଯ୍ୟନ୍ତ କ୍ଲବ, ପବ୍‌, ଅଫ୍‌-ସପ୍‌ ଓ ହୋଟେଲଗୁଡ଼ିକରେ ମଦ ପାନର ଜବରଦସ୍ତ ଚାହିଦା ଦେଖାଯାଇଥିଲା।

ଅବକାରୀ ବିଭାଗ ତଥ୍ୟ ଅନୁଯାୟୀ, ଏହି ୭ ଦିନରେ ପ୍ରାୟ ଅଢେଇ ଲକ୍ଷ ଲିଟର ବିଦେଶୀ ମଦ ଏବଂ ଦେଢ ଲକ୍ଷ ଲିଟର ଦେଶୀ ମଦ ବିକ୍ରି ହୋଇଛି। ସେହିପରି ୧ ଲକ୍ଷ ୭୮ ହଜାର ଲିଟର ବିୟର୍‌ ମଧ୍ୟ ବିକ୍ରି ହୋଇଥିବା ରିପୋର୍ଟ ମିଳିଛି। ମୋଟ ମଦ ବିକ୍ରିର ଆର୍ଥିକ ମୂଲ୍ୟ ୩୨ କୋଟି ୫୫ ଲକ୍ଷ ଟଙ୍କାକୁ ଅତିକ୍ରମ କରିଛି, ଯାହା ପୂର୍ବବର୍ଷ ତୁଳନାରେ ଅନେକ ଅଧିକ।

କେବଳ ବିଦେଶୀ ମଦ ବିକ୍ରିରୁ ୨୮ କୋଟି ୪ ଲକ୍ଷ ୮୧ ହଜାର ଟଙ୍କା ଆୟ ହୋଇଥିବାବେଳେ ବିୟର୍‌ ବିକ୍ରିରୁ ୩ କୋଟି ୫୬ ଲକ୍ଷ ୧୧ ହଜାର ଟଙ୍କା ଆସିଛି। ସେହିଭଳି ଦେଶୀ ମଦ ବିକ୍ରିର ଅଙ୍କ ୯୪ ଲକ୍ଷ ୨୦ ହଜାର ଟଙ୍କାରେ ପହଞ୍ଚିଛି।

ନୂଆବର୍ଷ ଉତ୍ସବକୁ ନେଇ ରାଜଧାନୀରେ ମଦ ବିକ୍ରି ଯେପରି ରେକର୍ଡ ସୃଷ୍ଟି କରିଛି, ସେଥିରୁ ଏହି ସେଲିବ୍ରେସନ୍‌ର ଭାରି ଆର୍ଥିକ ପ୍ରଭାବ ସ୍ପଷ୍ଟ ଜଣା ପଡ଼ୁଛି।