
ଆସନ୍ତାକାଲି ଇଂରାଜୀ ନୂଆବର୍ଷକୁ ଦୃଷ୍ଟିରେ ରଖି ଭଦ୍ରକ ପୁଲିସ୍ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଏସପି ଅଫିସକୁ ଫୁଲତୋଡ଼ା ଓ ଡାଏରୀ ନେଇ ଆସିବାକୁ ନିଷେଧ କରାଯାଇଛି। ପୁଲିସ୍ ଅଧିକାରୀ କିମ୍ବା କୌଣସି ବ୍ୟକ୍ତି ଫୁଲ ଓ ଡାଏରୀ ଆଣିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଛି। ଏ ନେଇ ଆରକ୍ଷୀ ଅଧୀକ୍ଷକଙ୍କ ଅଫିସ୍ କାନ୍ଥରେ ସଚେତନତା ପୋଷ୍ଟର୍ ଲଗାଯାଇଛି। ଏସପି ମନୋଜ ରାଉତଙ୍କ ନିର୍ଦ୍ଦେଶକ୍ରମେ କଡ଼ା ନୋଟିସ୍ ଜାରି ହୋଇଛି।
ଏପଟେ, ନୂଆବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ କେହି ମଧ୍ୟ କାର୍ଯ୍ୟାଳୟକୁ ନ ଆସିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିବେଦନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛା ଜଣାଇ ସେ କହିଛନ୍ତି ଯେ ନୂଆବର୍ଷ ଦିନଟି ସରକାରୀ କାର୍ଯ୍ୟଦିବସ ହେଉଥିବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସାଧାରଣ ଦିନଭଳି କାମ କରିବ। ତେଣୁ ଶୁଭେଚ୍ଛା ଜଣାଇବା ପାଇଁ କେହି ତାଙ୍କ କାର୍ଯ୍ୟାଳୟକୁ ନ ଆସିବାକୁ ସେ ଅନୁରୋଧ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ସରକାରୀ କର୍ମଚାରୀମାନେ ଅଫିସ ସମୟରେ ଶୁଭେଚ୍ଛା ଓ ଅଭିନନ୍ଦନ କାର୍ଯ୍ୟକ୍ରମରେ ଯୋଗ ନ ଦେଇ କାର୍ଯ୍ୟଦାୟିତ୍ୱ ଉପରେ ଗୁରୁତ୍ୱ ଦିଅନ୍ତୁ। ଓଡ଼ିଶାର ଜନସାଧାରଣ ଓ ଶୁଭାକାଂକ୍ଷୀମାନଙ୍କ ସଦିଚ୍ଛା ପ୍ରତି ସେ କୃତଜ୍ଞତା ଜଣାଇଛନ୍ତି। ଏଥିସହିତ, ସରକାରୀ ବାସଭବନକୁ ଶୁଭେଚ୍ଛା ଜଣାଇବାକୁ ଆସୁଥିବା ଲୋକମାନଙ୍କୁ କୌଣସି ଉପହାର କିମ୍ବା ପୁଷ୍ପଗୁଚ୍ଛ ନ ଆଣିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି।