ସରକାର ଅନେକ ଯୋଜନା କରୁଥଲେ ସୁଦ୍ଧା ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଯୋଜନା ଠିକ ଭାବେ ପହଞ୍ଚି ପାରୁନି । ବାଟରୁ ବାଟବଣା ହୋଇଯାଉଛି ଆଦିବାସୀଙ୍କ ହକ । କ.ନୂଆଗାଁ ବ୍ଲକର ଆଡିମାହା ପଞ୍ଚାୟତ ଅନ୍ତର୍ଗତ ବିନ୍ଦୁପଦର ଗାଁଟି ଜଙ୍ଗଲ, ପାହାଡ ଘେରା ଅଞ୍ଚଳରେ ଅବସ୍ଥିତ । ଏହି ଗାଁରେ ୩୦ଟି ଆଦିବାସୀ ପରିବାର ବସବାସ କରନ୍ତି । ବର୍ଷା ଦିନେ ଗାଁର ଅବସ୍ଥା କହିଲେ ନସରେ । ବର୍ଷା ଋତୁର ତିନି ମାସ ଲୋକମାନେ ୩ କିଲୋମିଟର ଦୂରରେ ଥିବା ଆଡିମାହା ପଞ୍ଚାୟତକୁ ଯାଇ ପି.ଡି.ସ୍ ଚାଉଳ ଆଣୁଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଛୋଟଛୋଟ ପିଲାମାନେ ବିପଦଜନକ ଅବସ୍ଥାରେ ନଦୀ ପାର ହୋଇ ସ୍କୁଲ ଯାଉଛନ୍ତି । କାହାର ଦେହ ଖରାପ ହେଲେ ସେ କେବଳ ଭଗବାନଙ୍କ ଭରସାରେ ରହିଯାନ୍ତି । ଏଭଳି ସ୍ଥିତିକୁ ଲକ୍ଷ କରି ଗାଁର କିଛି ଯୁବକ ନିଜସ୍ଵ ଖର୍ଚ୍ଚରେ ଗାଁକୁ ଏକ କାଠ ପୋଲ ନିର୍ମାଣ କରିଛନ୍ତି । ବାରମ୍ବାର ସ୍ଥାନୀୟ ପ୍ରଶାସନକୁ ଗୁହାରୀ କଲେ ମଧ୍ୟ କେହି ଶୁଣିବାକୁ ନାରାଜ । ତେଣୁ ଗାଁର ଯୁବକ ମାନେ ନିଜ ହାତରେ ଏକ କାଠ ପୋଲ କରିବାକୁ ସ୍ଥିର କରିଥିଲେ । ବିନ୍ଦୁପଦର ଗାଁ ଯୁବକଙ୍କ ଏହି ବଳିଷ୍ଠ ଉଦ୍ୟମ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।