ନାରୀ ନ୍ୟାୟ ପାଇଁ ଖୋର୍ଦ୍ଧା କଂଗ୍ରେସର ମଶାଲ ଶୋଭାଯାତ୍ରା

ରାଜ୍ୟରେ ମହିଳା ମାନଙ୍କ ପ୍ରତି ବଢୁଥିବା ନିର୍ଯାତନା , ଅତ୍ୟାଚାର , ଦୁଷ୍କର୍ମ ଭଳି ଘଟଣାକୁ ବିରୋଧ କରୁଛି କଂଗ୍ରେସ । ଏହା ବିରୁଦ୍ଧରେ କଂଗ୍ରେସ ନେତ୍ରୀ ସୋନାଲି ସାହୁଙ୍କ ନେତୃତ୍ୱରେ ଖୋର୍ଦ୍ଧା କଂଗ୍ରେସ କମିଟି ଦ୍ୱାରା ଏକ ମଶାଲ ଶୋଭାଯାତ୍ରା ଖୋର୍ଦ୍ଧା ବ୍ୟାଙ୍କ ଛକ ଠାରୁ ବାହାରି ଗୀତାଭବନ ପର୍ଯ୍ୟନ୍ତ ପରିକ୍ରମା କରିଥିଲା । ଏହି ପରିପ୍ରେକ୍ଷୀରେ କଂଗ୍ରେସ ନେତ୍ରୀ କହିଛନ୍ତି ସାରା ରାଜ୍ୟରେ ୧୦ ମାସର ସରକାର ସମୟରେ ୨୪ ହଜାର ରୁ ଉର୍ଦ୍ଧ୍ବ ମହିଳାଙ୍କ ପ୍ରତି ହିଂସା ହୋଇଥିବା ବେଳେ ୨୦୦୦ ରୁ ଉର୍ଦ୍ଧ୍ବ ମହିଳା ବଲାତ୍କାରର ଶିକାର ହୋଇଛନ୍ତି । ସେହିପରି ସରକାରୀ ଆବାସିକ ବିଦ୍ୟାଳୟରେ ପଢ଼ୁଥିବା ଛୋଟ ଛୋଟ ନାବାଳିକ ମାନେ ଅନ୍ତଃସତ୍ଵା ହେବା ଓ ଶିଶୁଙ୍କୁ ଜନ୍ମଦେବା ଚିନ୍ତାର ବିଷୟ ପାଲଟିଛି । ଖାଲି ସେତିକି ନୁହେଁ ପ୍ରାୟ ୬୪ ଜଣ ଗଣଦୁଷ୍କର୍ମର ଶିକାର ହୋଇଥିବା ବେଳେ ୬୦ ହଜାରରୁ ଉର୍ଦ୍ଧ୍ବ ମହିଳା ଓ ଶିଶୁ ନିଖୋଜ ହୋଇଛନ୍ତି ।

ସେମାନେ କୁଆଡେ ଗଲେ କୌଣସି ପତ୍ତା ନମିଳିବା ସନ୍ଦେହକୁ ଆହୁରି ଦୃଢ଼ୀଭୁତ କରୁଛି । ନିଖୋଜ ହୋଇଥିବା ମହିଳା ଓ ଶିଶୁ ଅଙ୍ଗ ତସ୍କରୀର ଶିକାର ହୋଇଛନ୍ତି କି ସେମାନଙ୍କୁ ଯୌନ ଶୋଷଣ କରାଯାଉଛି , ସେ ବିଷୟରେ ସରକାର ଆଦୌ ଚିନ୍ତିତ ନୁହନ୍ତି । ତେଣୁ ସରକାର ମହିଳାଙ୍କ ସୁରକ୍ଷା , ସମ୍ମାନ ଓ ସ୍ୱାଭିମାନକୁ ସୁନିଶ୍ଚିତ କରିବା ପାଇଁ ସାରା ରାଜ୍ୟ ସମେତ ଖୋର୍ଦ୍ଧାରେ ମଧ୍ୟ ମଶାଲ ଶୋଭାଯାତ୍ରା ମାଧ୍ୟମରେ ସରକାରଙ୍କ ଉପରେ ଚାପ ସୃଷ୍ଟି ପାଇଁ ପ୍ରୟାସ କରାଯାଉଛି । ଏହି ଶୋଭାଯାତ୍ରାରେ ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ରହି ଉକ୍ତ କାର୍ଯ୍ୟକୁ ସଫଳ କରିଥିବାରୁ ସୋନାଲି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।