ନଦୀକୁ ଗାଧୋଇବାକୁ ଯାଇ ୨ ମୃତ

କାନ୍ଦରେ କମ୍ପି ଉଠୁଛି ଗାଁ ଦଣ୍ଡ । ଭୋ ଭୋ ହୋଇ କାନ୍ଦୁଛନ୍ତି ପରିବାର ଲୋକ ଓ ଗାଁ ସାହି ପଡିଶା । କେମିତି ବା କିଏ ଲୁହ ସମ୍ଭାଳିବ । ଅବେଳରେ ଚାଲିଯାଇଛି ଭେଣ୍ଡିଆ ପୁଅର ଜୀବନ । ହୋଲି ଦିନ ବେଶ ହସ ଖୁସିରେ ହୋଲି ଖେଳିଲେ । ହୋଲି ଖେଳି ସାରି ନଦୀକୁ ଗାଧୋଇବାକୁ ଗଲେ ହେଲେ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ ସୌଭାଗ୍ୟ ଓ ଚନ୍ଦନ । ଫେରିଲା ତ କେବଳ ମୃତଦେହ । ଅକାଳରେ ଚାଲିଗଲା ଦୁଇ ଦୁଇଟା ନିରୀହ ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡା ନିକିରାଇ ଥାନା ଅନ୍ତର୍ଗତ କୁତରଙ୍ଗ ଓ ଘାଗରା ଗାଁରେ । କେନ୍ଦ୍ରାପଡା ପଞ୍ଚୁଦୋଳ ଦିନ ଘଟିଯାଇଛି ଏଭଳି କିଛି ଦୁଃଖଦାୟକ ଘଟଣା । ହୋଳି ଖେଳି ସାରି ଗାଧୋଇବାକୁ ଯାଇ ବ୍ରାହ୍ମଣୀ ନଦୀରେ ବୁଡିଗଲେ ଘାଗରା ଗାଁର ସୌଭାଗ୍ୟ ପରିଡା । ସାଙ୍ଗରେ ଗାଧୋଇ ଯାଇଥିବା କିଛି ବନ୍ଧୁ ସୌଭାଗ୍ୟ ଙ୍କୁ ରକ୍ଷା କରି ପାରିନଥିଲେ । ମାତ୍ର କିଛି ସମୟ ପରେ ନଦୀ ଭିତରୁ ଉଦ୍ଧାର ହେଲା ସୌଭାଗ୍ୟଙ୍କ ମୃତ ଦେହ । ସୌଭାଗ୍ୟ ଦାଣ୍ଡିସାହି ସ୍ଥିତ ବ୍ରାହ୍ମଣୀ କଲେଜର ଯୁକ୍ତଦୁଇର ବିଜ୍ଞାନ ଛାତ୍ର । ଏବେ ତାଙ୍କର ପରୀକ୍ଷା ଚାଲିଥିଲା । ଆସନ୍ତା ମାର୍ଚ୍ଚ ୨୭ ତାରିଖରେ ଥିଲା ପରବର୍ତ୍ତୀ ପରୀକ୍ଷା ।

କିନ୍ତୁ ଜୀବନର ସବୁ ପରୀକ୍ଷାକୁ ଅଧାରୁ ଛାଡି ସେ ଆରପାରିକୁ ଚାଲିଗଲେ । ଘରର ଏକ ମାତ୍ର ପୁଅ ସୌଭାଗ୍ୟ ଘରେ ଆଉ ବସ କେବଳ ବାପା,ମା ଓ ସାନ ଭଉଣୀ । ତେବେ ପରିବାର ଲୋକେ ଏଭଳି ଦୁଖ ସମୟରେ ବି ମହତ କାମ କରିଛନ୍ତି । ଶେଷ ମୁହୂର୍ତ୍ତରେ ସୌଭାଗ୍ୟଙ୍କ ଚକ୍ଷୁ ଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଗଲା । ପୁଅ ସିନା ଚାଲିଗଲା ପୁଅର ଆଖିରେ ଆଉ କେହି ଦୁନିଆ ଦେଖିବାର ସୁଯୋଗ ପାଇବ ବୋଲି ପରିବାର ଲୋକେ କହିଛନ୍ତି । ସେହିପରି ନିକିରାଇ ଥାନା ଅନ୍ତର୍ଗତ କୁତରଙ୍ଗ ଗାଁର ଚନ୍ଦନ ସ୍ଵାଇଁଙ୍କ ଜୀବନ ମଧ୍ୟ ଚାଲିଯାଇଛି । ହୋଲି ଖେଳିସାରି ଘରପାଖ ପୋଖରିକୁ ଗାଧୋଇବା ପାଇଁ ଯାଇଥିଲେ । ପୋଖରୀରେ ଗାଧୋଇବା ସମୟରେ ଗୋଡ ଖସିଯିବାରୁ ଦେଖୁ ଦେଖୁ ପାଣିରେ ବୁଡିଯାଇଥିଲେ ଚନ୍ଦନ । ଖୋଜା ଖୋଜି କରି ଉପରକୁ ଆଣିବା ବେଳକୁ ଶରୀରରେ ଆଉ ପ୍ରାଣ ନଥିଲା । ଆଉ ଦୁଇଦିନ ପରେ ନୂଆ କରି ପୋଲିସ ଚାକିରିରେ ଯୋଗ ଦେଇ ଥାନ୍ତେ ଚନ୍ଦନ । ରାଉରକେଲା ଠାରେ OSAP ଚତୁର୍ଥ ବାଟାଲିଅନରେ ତାଙ୍କର ଚାକିରି ହୋଇଯାଇଥିଲା । ଚାକିରିକୁ ଯିବେ ବୋଲି ସବୁ ପ୍ରସ୍ତୁତି ସରିଥିଲା । କିନ୍ତୁ ଦଇବର ଇଚ୍ଛା କିଛି ଅଲଗା ଥିଲା ।

ପୋଲିସ ଚାକିରି କରିବା ପୂର୍ବରୁ ଆର ପାରିକୁ ଚାଲିଗଲେ ଚନ୍ଦନ । ଚନ୍ଦନଙ୍କର ଦୁଇ ଭଉଣୀ ବିବାହ କରିଥିବାବେଳେ ଚନ୍ଦନ ବାପା ମାଙ୍କର ଗୋଟିଏ ପୁଅ ଥିଲେ । ଏହି ଘଟଣା ପରେ ପରିବାରର ଦୁଃଖ କହିଲେ ନସରେ । ରୋଜଗାରିଆ ପୁଅକୁ ହରାଇ ଦାଣ୍ଡ ପିଣ୍ଡାରେ ବସି ଲୁହ ଗଡାଉଛନ୍ତି ବୃଦ୍ଧ ପିତାମାତା । ଅକାଳରେ ପୁଅକୁ ହରାଇ ଉଭୟ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି । ସୌଭାଗ୍ୟ ଓ ଚନ୍ଦନଙ୍କ ଅକାଳ ବିୟୋଗରେ କେବଳ ପରିବାର ଲୋକ ନୁହଁ ବରଂ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଶୋକର ଛାୟା ଖେଳିଯାଇଛି ।