ନକଲି ସିମ୍ ଲିଙ୍କ, ଓଡିଶାରେ ଦିଲ୍ଲୀ ପୋଲିସ

ନକଲି ସିମ୍ କାର୍ଡ କାରବାର ନେଇ ଓଡ଼ିଶାରେ ଦିଲ୍ଲୀ ପୋଲିସର ଚଢାଉ । ଏହାପରେ ଦିଲ୍ଲୀ ପୋଲିସ ତରଫରୁ ଜୋରସରରେ ଖୋଳତାଡ ଆରମ୍ଭ କରାଯାଇଥିଲା ।

ରିପୋର୍ଟ ଅନୁଯାୟୀ, ଦିଲ୍ଲୀର ଶାହିନବାଗ ପୋଲିସ ଷ୍ଟେସନ ତରଫରୁ ଏକ ଦଳ ଯାଜପୁର ଏବଂ ପଡ଼ୋଶୀ ଭଦ୍ରକ ଜିଲ୍ଲାର ମଞ୍ଜୁରୀ ରୋଡ ବଜାରରେ ଚଢାଉ କରିଥିଲା। ଚଢାଉ ସମୟରେ, ସିମ କାର୍ଡର ଅବୈଧ ବିକ୍ରୟ କରୁଥିବା ଦୁଇ ଜଣ ମୋବାଇଲ ଫୋନ୍ ଦୋକାନର ମାଲିକଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଥିଲା।

ଅଟକ ବ୍ୟକ୍ତିମାନେ ହେଲେ ମଞ୍ଜୁରୀ ରୋଡ୍ ବଜାରରେ ଏକ ମୋବାଇଲ୍ ଦୋକାନ ଚଳାଉଥିବା ସନ୍ତୋଷ ଖଣ୍ଡେଇ ଏବଂ ତାରାଗୋ ଅଞ୍ଚଳର ମହେଶ୍ୱର ପୁଣ୍ଟିଆ। ଉଭୟଙ୍କୁ ଭଦ୍ରକ ଅଣାଯାଇ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା, ପରେ ସେମାନଙ୍କୁ ଅଧିକ ପଚରାଉଚରା ପାଇଁ ଦିଲ୍ଲୀ ପୋଲିସ ରିମାଣ୍ଡରେ ନେଇଥିଲା।

ଅଭିଯୁକ୍ତ ଦୁଇଜଣ ନୂତନ ସିମ୍ କିଣିବା ପାଇଁ ସେମାନଙ୍କ ଦୋକାନକୁ ଆସୁଥିବା ଗ୍ରାହକଙ୍କ ଆଧାରର ଡକ୍ୟୁମେଣ୍ଟ ବ୍ୟବହାର କରି ଏକାଧିକ ସିମ୍ କାର୍ଡ ଆକ୍ଟିଭ କରାଉଥିଲା । ପ୍ରକୃତ ଗ୍ରାହକଙ୍କୁ କେବଳ ଗୋଟିଏ ସିମ୍ କାର୍ଡ ହସ୍ତାନ୍ତର କରାଯାଇ, ଗ୍ରାହକଙ୍କ ଅଜାଣତରେ ଅନ୍ୟ ସିମ୍ କାର୍ଡଗୁଡିକୁ ଆକ୍ଟିଭ ରଖାଯାଉଥିଲା। ଏହି ଅତିରିକ୍ତ ସିମ୍ କାର୍ଡଗୁଡ଼ିକୁ ପରେ ବେଆଇନ ଭାବରେ ବିକ୍ରି କରାଯାଉଥିଲା।

ଅଭିଯୁକ୍ତମାନେ ଯାଜପୁରର କୋରେଇ ଅଞ୍ଚଳର ଅନେକ ବେକାର ଯୁବକଙ୍କୁ ସେମାନଙ୍କ ଦୋକାନରୁ ସିମ୍ କାର୍ଡ କିଣିବା ପାଇଁ ପ୍ରଲୋଭିତ କରିଥିଲେ। ସେମାନେ ଏହି ଯୁବକମାନଙ୍କୁ ପ୍ରତି ସିମ୍ କାର୍ଡ ପାଇଁ ୨୦୦୦ ରୁ ୩୦୦୦ ଟଙ୍କାରେ ଦେଉଥିଲେ । ଅତିରିକ୍ତ ଆକ୍ଟିଭ ସିମ୍ କାର୍ଡଗୁଡ଼ିକୁ ପରେ ଅଧିକ ମୂଲ୍ୟରେ ବେନାମୀ ବ୍ୟକ୍ତିମାନଙ୍କୁ ବିକ୍ରି କରାଯାଇଥିଲା।

ବେଆଇନ ଭାବରେ ବିକ୍ରି ହୋଇଥିବା ସିମ୍ କାର୍ଡଗୁଡ଼ିକୁ ଅପରାଧିକ କାର୍ଯ୍ୟକଳାପ ପାଇଁ ବ୍ୟବହାର କରାଯାଉଥିଲା ବୋଲି ଅଭିଯୋଗ ହୋଇଛି । ଦିଲ୍ଲୀର ଶାହିନବାଗ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି। ସନ୍ତୋଷ ଖଣ୍ଡେଇଙ୍କଠାରୁ ଅଭିଯୁକ୍ତମାନେ ବିକ୍ରି କରିଥିବା ଅନେକ ଅବୈଧ ସିମ୍ କାର୍ଡ ଜବତ କରାଯାଇଛି । ତଦନ୍ତକାରୀମାନେ ଦୁଇ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ବଡ଼ ଧରଣର ଆର୍ଥିକ କାରବାର ହେବାର ପାଇଛନ୍ତି। ପୋଲିସ ଏବେ ଅନ୍ୟ ଲିଙ୍କଗୁଡ଼ିକୁ ଚିହ୍ନଟ କରିବା ଏବଂ ଏହି ଘଟଣାରେ ଅନ୍ୟ କେଉଁମାନେ ସଂପୃକ୍ତ ଅଛନ୍ତି ସେନେଇ ଏବେ ଯାଞ୍ଚ କରାଯାଉଛି।