ଧାରା ୩୭୪ ଉପରେ ଲାଗିଲା କଟକଣା, ୱାକଫ୍ ସମ୍ପତ୍ତିରେ ତୃତୀୟ ପକ୍ଷ ଅଧିକାର ନାହିଁ

ୱାକଫ୍ ଆଇନକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ସମ୍ପୂର୍ଣ୍ଣ ଆଇନକୁ ସ୍ଥଗିତ କରିବା ପାଇଁ କୌଣସି ଆଧାର ନାହିଁ, ତଥାପି କିଛି ପ୍ରାବଧାନ ଉପରେ ମଧ୍ୟବର୍ତ୍ତୀକାଳୀନ କଟକଣା ଲଗାଇ ଦିଆଯାଇଛି । ମୁଖ୍ୟ ବିଚାରପତି ବି.ଆର. ଗବଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, କାର୍ଯ୍ୟନିର୍ବାହୀ କୌଣସି ବ୍ୟକ୍ତିଙ୍କ ଅଧିକାର ନିଷ୍ପତ୍ତି କରିପାରିବେ ନାହିଁ । ୱାକଫ ସମ୍ପତ୍ତିର ମାଲିକାନା ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ୱାକଫ ଟ୍ରିବ୍ୟୁନାଲ ଓ ହାଇକୋର୍ଟ ଦେବେ । ରାଜସ୍ୱ ରେକର୍ଡ ସମ୍ବନ୍ଧୀୟ ବିବାଦର ସମାଧାନ ହେବା ପୂର୍ବରୁ କୌଣସି ତୃତୀୟ ପକ୍ଷ ଅଧିକାର ସୃଷ୍ଟି ହେବ ନାହିଁ ।

ସେପଟେ ୱାକଫ ବୋର୍ଡ ଗଠନ ସମ୍ବନ୍ଧରେ କୋର୍ଟ କହିଛନ୍ତି ଯେ ୧୧ ଜଣ ସଦସ୍ୟରେ ସର୍ବାଧିକ ୩ ଜଣ ଅଣ-ମୁସଲିମ ରହିପାରିବେ । ବୋର୍ଡର ସିଇଓ ସମ୍ଭବତଃ ଜଣେ ମୁସଲିମ ହେବା ଉଚିତ । କୋର୍ଟ ଧାରା ୩୭୪ ଉପରେ କଟକଣା ଲଗାଇଛନ୍ତି ଏବଂ ସ୍ପଷ୍ଟ କରିଛନ୍ତି ଯେ , “କେବଳ ୫ ବର୍ଷ ଧରି ଇସଲାମ ପାଳନ କରୁଥିବା ବ୍ୟକ୍ତିମାନେ ୱାକଫ ସୃଷ୍ଟି କରିପାରିବେ” ଏହି ବ୍ୟବସ୍ଥା ସ୍ଥଗିତ ରହିବ । କାରଣ, ଜଣେ ବ୍ୟକ୍ତି ଇସଲାମ ଅନୁଗାମୀ କି ନୁହେଁ ଏହା ନିର୍ଣ୍ଣୟ ପାଇଁ ନିୟମ ନାହିଁ ।

ସର୍ବୋଚ୍ଚ ଅଦାଲତା ୱାକଫ୍‍ ସଂଶୋଧନ ଆଇନ ୨୦୨୫ର ବୈଧତା ଉପରେ କୌଣସି ରାୟ ଦେଇନାହାଁନ୍ତି ଏବଂ ଆଇନକୁ ସ୍ଥଗିତ ରଖିବାକୁ ମନା କରିଛନ୍ତି । କିନ୍ତୁ ଏହାର ଧାରା ଗୁଡିକୁ ସ୍ଥଗିତ ରଖିବା ସମୟରେ କିଛି ସର୍ତ୍ତ ରଖିଛନ୍ତି । ସର୍ବୋଚ୍ଚ ଅଦାଲତ ଆଇନର ୨ଟି ଧାରା ଉପରେ ସ୍ଥଗିତ ରଖିଛନ୍ତି । ଏହାସହିତ ସର୍ତ୍ତାବଳୀ ସ୍ଥିର କରି ସେମାନଙ୍କର ଅନୁପାଳନ ସୁନିଶ୍ଚିତ କରିବାକୁ କହିଛନ୍ତି । ବିଶେଷ କରି ୫ବର୍ଷର ଆବଶ୍ୟକତାର ବ୍ୟବସ୍ଥାକୁ ନିଷିଦ୍ଧ କରିଛନ୍ତି ।