ଧରା ପଡିଲେ ୧୦ ବାଂଲାଦେଶୀ, ଫରେନର୍ସ ଆକ୍ଟରେ ଗିରଫ

ପୁଣି ସ୍ମାର୍ଟସିଟିରୁ ଧରାପଡିଲେ ବାଂଲାଦେଶୀ । ଭୁବନେଶ୍ବର ଦେଇ ଟ୍ରେନରେ ଯିବା ବେଳେ ମାଡିବସିଲା ଏସଟିଏଫ ଟିମ୍‌ । ଭୁବନେଶ୍ବର ଷ୍ଟେସନରୁ ୧୦ଜଣ ଠାବ ହୋଇଥିବାବେଳେ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଏସଟିଏଫ ଟିମ୍ । ସେମାନଙ୍କ ମଧ୍ୟରେ ଜଣେ ନାବାଳକ ରହିଛି । କିଛି ଦିନ ତଳେ କଟକ ମଧୁପାଟଣା ଥାନା ଅଞ୍ଚଳରେ ବାଂଲାଦେଶୀ ଯୁବତୀକୁ ଆଣି ଦେହ ବ୍ୟବସାୟ କରୁଥିବା ଘଟଣା ସାମ୍ନାକୁ ଆସିଥିବା ପରେ ଏବେ ପୁଣି ବାଂଲାଦେଶୀ ଶ୍ରମିକ ଭାବେ ଅନୁପ୍ରବେଶ ଘଟଣା ସାମ୍ନାକୁ ଆସିଛି । ବିନା ପାସପୋର୍ଟରେ ଭାରତୀୟ ସୀମା ଅନୁପ୍ରବେଶ କରିବା ପରେ ଭୁବନେଶ୍ୱର ଦେଇ ଏମାନେ କର୍ଣ୍ଣାଟକ ଯାଉଥିଲେ ।

ତେବେ ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ଅଛନ୍ତି ୬ ଜଣ ପୁରୁଷ ଓ ତିନି ଜଣ ମହିଳା ସହ ଜଣେ ନାବାଳକ । ନାବାଳକକୁ ସୁଧାର ଗୃହରେ ରଖାଯାଇଥିବା ବେଳେ ବାକି ୯ ଜଣଙ୍କୁ ଗିରଫ କରଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ମହମ୍ମଦ ହସିମ ,ସୋଜିବ ଖାନ,ଆଲାମ ସେକ, ମହମ୍ମଦ ଆଜିମ,ଦିଲ୍ଲାରା ସେଖ, ମହମ୍ମଦ ସୋହା, କରିମା ବେଗମ, ମୋନିରା ବେଗମ , ସାହାନା ବେଗମ ।

ତେବେ ଏମାନଙ୍କୁ ଫରେନର୍ସ ଆକ୍ଟରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏନେଇ ଏସଟିଏଫ ଏସପି ରବି ଶତପଥି କହିଛନ୍ତି ‘‘ବିଶେଷ ସୁତ୍ରରୁ ବାଂଲାଦେଶୀଙ୍କ ସୂଚନା ମିଳିଥିଲା। ଯା‌ହାକୁ ଆଧାର କରି ଅଫିସର ରଶ୍ମି ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଟିମ୍ ଭୁବନେଶ୍ୱର ଷ୍ଟେସନରେ ଛାନଭିନ ବେଳେ ଆମେ ସେମାନଙ୍କୁ ଠାବ କରିଥିଲୁ । ୬ ଜଣ ପୁରୁଷ, ୩ ଜଣ ମହିଳା ଓ ଜଣେ ଜୁଭେନାଇଲକୁ ଆମେ ଧରିଥିଲୁ ।

୯ ଜଣଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ସେମାନେ ବିଶେଷ କରି ଗରିବ ଖଟିକିଆ ବର୍ଗର । ଯେଉଁମାନେ କି ଦିନମଜୁ୍ରିଆ ଭାବେ କାମ କରନ୍ତି । ଏମାନଙ୍କ ମଧ୍ୟରେ ଗିରଫ ହୋଇଥିବା ଦଲାଲ ଯେ କି ଏଜେଣ୍ଟ ମହମ୍ମଦ ହସିମ ଆସାମ ବାଂଲାଦେଶ ସୀମା ପାର୍‌ କରାଇବା ପରେ ଅଟୋରେ ଆସାମର ଧୁବୁରି ପହଂଚିଥିଲେ । ସେଠାରୁ ବସ ଯୋଗେ ଗୌହାଟି ପହଁଚିବା ପରେ ସେଠାରୁ ଟ୍ରେନ ଯୋଗେ କର୍ଣ୍ଣାଟକ ଯିବା ପାଇଁ ବସିଥିଲେ। ହେଲେ ଭୁବନେଶ୍ୱର ଷ୍ଟେସନରେ ସେମାନଙ୍କର ସୂଚନା ପାଇଁ ଚଢାଉ କରାଯାଇଥିଲା ।

ବିନା ପାସପୋର୍ଟରେ ଅନୁପ୍ରବେଶ କରିବା ନେଇ ସମସ୍ତଙ୍କୁ ଫରେନର୍ ଆକ୍ଟରେ ଗିରଫ କରଯାଇଛି। ଏବେ ଏଜେଣ୍ଟ ମହମ୍ମଦ ହସିମକୁ ରିମାଣ୍ଡରେ ନେବୁ । ଏମାନଙ୍କ ମଧ୍ୟରୁ ଜଣେ ଦୁଇ ଜଣ ପୂର୍ବରୁ ଏପରି ଅନୁପ୍ରବେଶ କରି ଯିବା ଆସିବା କରିଛନ୍ତି । ତେବେ ଏବେ ଏହାର ସମସ୍ତ ଦିଗକୁ ନେଇ ତର୍ଜମା କରାଯିବ। ଏନେଇ ଦୁଇ ଜଣ ଅଧିକାରୀ ସେଣ୍ଟ୍ରାଲ ଇଣ୍ଟେଲିଜେନସ ବ୍ୟୁରୋ ଟିମର ଅଫିସର ମଧ୍ୟ ଭେଟିଛନ୍ତି। ଏସଟିଏଫ ଏସ୍ପିଙ୍କୁ ଭେଟି ତଥ୍ୟ ନେଇଛନ୍ତି। ସେହି ହିସାବରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ’’।

ଓଡ଼ିଶା ଉପକୂଳରେ ଢିଲା ସୁରକ୍ଷା ଓ ପଡୋଶୀ ରାଜ୍ୟର ବୈଦେଶିକ ସୀମାରେ ଗଳାବାଟ ଦେଇ ଏବେ ବାଟ ଆପଣାଇଛନ୍ତି ବାଂଲାଦେଶୀ । ଯା‌ହାକୁ ନେଇ ଆଖିରେ ‌ଆଙ୍ଗୁଠି ଗେଞ୍ଜି ଭାରତ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଅନୁପ୍ରବେଶ କରି ନିଜର ପ୍ରଭାବ ବିସ୍ତାର କରୁଛନ୍ତି। ଏନେଇ ଅନେକ ଅପରାଧିକ ଗତିବିଧି ମଧ୍ୟ ବୃଦ୍ଧି ହେଉଛି । କାଁଭା କେଉଁଠି କେମିତି ଦିନ ମଜୁରିଆ ବା ଶ୍ରମିକ ଭାବେ କାମ କରୁଥିବା ବେଳେ କେଉଁଠି ଦେହବ୍ୟବସାୟ ଓ ସାଇବର ଠକେଇ ଓ ଡ୍ରଗସ କାରବାର ବା ଅନେକ ଅପରାଧିକ କାର୍ଯ୍ୟ କରି ଅନେକ ସମୟରେ ଧରାପଡିଛନ୍ତି।