ରୁଗୁଡ଼ି ଥାନା NH 520 ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଜଣା ଟ୍ରକ୍ ଧକ୍କାରେ ସ୍ତ୍ରୀ ଆଗରେ ଚାଲିଗଲା ସ୍ଵାମୀ ଓ ଝିଅର ଜୀବନ । ‘ଗୁରୁତର ଅବସ୍ଥାରେ ସ୍ତ୍ରୀ ମେଡିକାଲରେ ଭର୍ତ୍ତି । NH 520 ଟୋପାଡିହି ଛକ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ରୁଗୁଡ଼ି ଥାନା ଲୋଇଡ଼ାପଦା ଅଞ୍ଚଳର ଦିଲିପ ସିଙ୍କୁ ଓ ତାଙ୍କର ଦୁଇ ବର୍ଷର ଝିଅ ଜସ୍ମିନ ସିଙ୍କୁ । ଏମାନେ ଏକ ସ୍କୁଟିରେ ଗୁଆଲି ପଟୁ ଲୋଇଡ଼ାପଦା ଅଭିମୁଖେ ଆସୁଥିବା ସମୟରେ ପଛପଟୁ ଏକ ଟ୍ରକ୍ ଧକ୍କାଦେଇ କିଛି ବାଟ ଘୋଷାରୀ ନେଇଥିଲା । ଘଟଣା ସ୍ଥଳରେ ବାପା ଝିଅଙ୍କ ଶୋଚନୀୟ ଭାବରେ ମୃତ୍ୟୁ ଘଟିଥିବାବେଳେ, ମା’ ତୁଳସୀ ସିଙ୍କୁ ଗୁରୁତର ଆହତ ହୋଇଥିଲେ ।
ଖବର ପାଇ ରୁଗୁଡ଼ି ପୋଲିସ ସେମାନଙ୍କୁ ଉଦ୍ଧାର କରି ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଛି । ସେଠାରେ ତୁଳସୀଙ୍କ ଚିକିତ୍ସା ଚାଲିଛି । ତେବେ ଦୁର୍ଘଟଣା ଘଟାଇ ଅଜଣା ଟ୍ରକ୍ ଘଟଣା ସ୍ଥଳରୁ ଖସି ପଳାଇଥିବା ଜଣାପଡିଛି । ରୁଗୁଡ଼ି ପୋଲିସ ଘଟଣାର ତଦନ୍ତ ଚଳାଇଛି ।
ସେହିପରି ରୁଗୁଡ଼ି ଥାନା NH 520 ଗନ୍ଧଲପଦା ଛକ ନିକଟରେ ଆଉ ଏକ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀ ପ୍ରାଣ ହରାଇଛନ୍ତି । ମୃତକ ଜଣକ ହେଉଛନ୍ତି କୋଇଡ଼ା ଥାନା ସାଗାସାହି ଅଞ୍ଚଳର ଜୟରାମ ସାଇ । ସେ ଗୁଆଲି ସ୍ଥିତ ତ୍ରିବେଣୀ ଅର୍ଥ ମୁଭର୍ଷ କମ୍ପାନୀର କର୍ମଚାରୀ ବୋଲି ଜଣାପଡିଛି । ଡ୍ୟୁଟି ସାରି ସେ ଘରକୁ ଫେରୁଥିବାବେଳେ, ଭାରସାମ୍ୟ ହରାଇ ଗନ୍ଧଲପଦା ଛକ ନିକଟରେ ଏକ ଟ୍ରକ୍ ପଛରେ ପିଟିବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି । ମୃତଦେହ ଜବତ୍ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।