
ଆଜି ରାଜ୍ୟ ରାଜନୀତିରେ ବିଜେପିର ବଡ଼ ଦିନ। ଭୁବନେଶ୍ୱର ସ୍ଥିତ ବିଜେପି ପାର୍ଟି ମୁଖ୍ୟାଳୟରେ ସକାଳ ୧୦ଟାରେ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏହି ବୈଠକରେ ଦଳର ସମସ୍ତ ବିଧାୟକ, ସମସ୍ତ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଉପସ୍ଥିତ ରହିବେ। ଦଳର ଶୀର୍ଷ ନେତୃତ୍ୱ ଏକେ ମଞ୍ଚରେ ଥିବାରୁ ବୈଠକଟିକୁ ନେଇ ରାଜନୈତିକ ମହଳରେ ବିଶେଷ ଆଗ୍ରହ ସୃଷ୍ଟି ହୋଇଛି।
କୁହାଯାଉଛି, ଏହି ବୈଠକ କେବଳ ସାଧାରଣ ଆଲୋଚନା ପାଇଁ ନୁହେଁ, ବରଂ ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ମଜବୁତ କରିବା, ତଳସ୍ତରର ସ୍ଥିତି ସମୀକ୍ଷା କରିବା ଓ ଆଗାମୀ ଦିନର ରାଜନୈତିକ ରଣନୀତି ତୟାରି କରିବା ପାଇଁ ଗୁରୁତ୍ୱ ଦିଆଯିବ। ନିକଟରେ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ରୁଦ୍ଧଦ୍ୱାର ବୈଠକ ଏବଂ ଦିନକ ତଳେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ପରେ, ଆଜିର ବୈଠକକୁ ଏକ ଫଲୋ-ଅପ୍ ମନ୍ଥନ ଭାବରେ ଦେଖାଯାଉଛି।
ବୈଠକରେ ସରକାରୀ କାର୍ଯ୍ୟକ୍ରମଗୁଡ଼ିକୁ କିପରି ଦ୍ରୁତ ଭାବେ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚାଯିବ, ସଂଗଠନକୁ କିପରି ଆଉ ସକ୍ରିୟ କରାଯିବ ଓ ଦଳୀୟ ଶିଷ୍ଟାଚାର ନେଇ କଣ ପଦକ୍ଷେପ ନିଆଯିବ—ସେଥିରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି। ସେଥିସହ ଜନସମ୍ପର୍କ, ମାଇଦାନୀ କାର୍ଯ୍ୟ ଓ ସରକାର–ଦଳ ସମନ୍ୱୟ ଉପରେ ନୂଆ ନିର୍ଦ୍ଦେଶ ଆସିପାରେ।
ସମଗ୍ର ଭାବେ, ଆଜିର ବୈଠକକୁ ରାଜ୍ୟ ବିଜେପିର ଭବିଷ୍ୟତ ଦିଗନିର୍ଦ୍ଦେଶ ନିର୍ଣ୍ଣୟ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବରେ ଦେଖାଯାଉଛି।