
ଦିନକୁ ଦିନ ବଢିବାରେ ଲାଗିଛି ହାତି-ମଣିଷ ଲଢେଇ । କେତେବେଳେ ମଣିଶର ଶୀକାର ହେଉଛନ୍ତି ହାତୀ ତ ଆଉ କେତେବେଳେ ହାତୀର ଶୀକାର ହେଉଛି ମଣିଷ । ଯାହାର ପରିଣତି ଦେଖିବାକୁ ମିଳିଛି ଢେଙ୍କାନାଳ-ଅନୁଗୁଳ ମଧ୍ୟବର୍ତ୍ତି ଶିଳ୍ପାଞ୍ଚଳରେ ।
ଦୈନନ୍ଦିନ ୫୦ ରୁ ଉର୍ଦ୍ଧ ହାତୀ ପଲଙ୍କ ଯାତାୟତ ରାସ୍ତ ପାଲଟିଛି ଢେଙ୍କାନାଳ-ଅନୁଗୁଳ ମଧ୍ୟବର୍ତ୍ତି ଶିଳ୍ପାଞ୍ଚଳ ।
କୁସୁପଙ୍ଗା, ମଙ୍ଗଳପୁର, ଖଡଗପ୍ରସାଦ ଓ ମୋଟଙ୍ଗା ଗ୍ରାମ ପଂଚାୟତରେ ବଢିଛି ଜଙ୍ଗଲୀ ହାତୀଙ୍କ ଉତ୍ପାତ ।
ମାନପୁର ପଂଚାୟତର ପୁରୁଣାକୋଟ ଗ୍ରାମରେ ହାତୀଙ୍କ ଦୈାରାତ୍ମ୍ୟରେ ଅତିଷ୍ଠ ହେଉଛନ୍ତି ଅଞ୍ଚଳବାସୀ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୫୦ ରୁ ଉର୍ଦ୍ଧ ଜଙ୍ଗଲୀ ହାତୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି ବନ୍ଦ ହୋଇଯାଇଥିବା ଲାନକୋ କମ୍ପାନୀ ପରିସର । ଦିନରେ କମ୍ପାନୀ ମଧ୍ୟରେ ଆଶ୍ରୟ ନେଇ ରାତିରେ ମାନପୁର, କୁରୁନ୍ତି, ସୁରଭି, ତାଲଡ଼ଙ୍ଗା, ହଳଦିଆ ବାହାଳ ଏବଂ ବିଦ ଇତ୍ୟାଦି ଗ୍ରାମରେ ଧାନ ଖାଇବା ସହ ଫସଲ ନଷ୍ଟ କରୁଛନ୍ତି ହାତୀ । ଢେଙ୍କାନାଳ-ଅନୁଗୁଳ ମଧ୍ୟବର୍ତ୍ତି ଅଞ୍ଚଳ ଶିଳ୍ପାଞ୍ଚଳ ହୋଇଥିବା ବେଳେ ନିକଟରେ ଥିବା ଜଙ୍ଗଲ ଦେଇ ଅନେକ ବିଦ୍ୟୁତ୍ ତାର ଥିବାରୁ ବନବିଭାଗ ହାତୀଙ୍କ ସୁରକ୍ଷା ପାଇଁ ଟାଟା ପାୱାର କମ୍ପାନୀ ସହ ଯୋଗାଯୋଗ କରି କେବଳ ବିଦ୍ୟୁତ ସେବା ବନ୍ଦ କରିଦେଉଛନ୍ତି ।ଯାହାଫଳରେ, ଫଳରେ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ରାତିରେ ଅନ୍ଧାରରେ ଜୀବନ କାଟିବାସହ ହାତୀ ଭୟରେ ଗମନାଗମନ ଏକ ପ୍ରକାର ଠପ ହୋଇ ଯାଇଛି ।ଅନ୍ୟପଟେ, ହାତୀଙ୍କ ଉପଦ୍ରବରେ ଅନେକଙ୍କ ଘର ଉଜୁଡି ଯାଉଥିବାବେଳେ ତା’ପ୍ରତି କାହାର ନିଘା ନ ଥିବା ଅଭିଯୋଗ ହେଉଛି । ହାତୀ ପଲଙ୍କୁ ଜଙ୍ଗଲକୁ ଲେଉଟାଇବା ଦିଗରେ ବନ ବିଭାଗର କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ଦେଖିବାକୁ ମିଳୁନଥିବା ବେଳେ ସ୍ଥାନୀୟ ପ୍ରଶାସନ ନୀରବଦ୍ରଷ୍ଟା ସାଜି ଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢୁଛି ।