
ଆଉ ଗୋଟିଏ ଦିନ ପରେ ସାରା ଦେଶରେ ପାଳିତ ହେବ ୭୭ତମ ସ୍ୱାଧୀନତା ଦିବସ। ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ମଧ୍ୟ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହେବ।
ଏଥିପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି। ହାତରେ ଆଉ ଗୋଟିଏ ଦିନ ସମୟ ଥିବାରୁ ଆଜି ଫୁଲ୍ଡ୍ରେସ୍ ରିହର୍ସାଲ କରାଯାଇଛି। ସେହିପରି ଏହି ସମୟରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି।
ରାଜ୍ୟସ୍ତରୀୟ ଏହି ଉତ୍ସବ ପାଳନକୁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ କରାଯିବାକୁ କମିସନରେଟ୍ ପୁଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ତେବେ ଆଜି ପରେଡ୍ ରିହର୍ସାଲରେ ସାମିଲ ହୋଇ ପୁଲିସ ଡିଜି ସୁନୀଲ ବଂଶଲ ସ୍ଥିତି ସମୀକ୍ଷା କରିଥିଲେ।
ନିର୍ଦ୍ଧାରିତ ପ୍ରୋଟକଲ୍ ମୁତାବକ, ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍ ସକାଳ ୮ଟା ୫୮ ମିନିଟ୍ରେ ପଡ଼ିଆରେ ପ୍ରବେଶ କରିବ। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଓ ଏନ୍ସିସି ଡେପୁଟି ଡାଇରେକ୍ଟର ଜେନେରାଲ ପଡ଼ିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବେ। ମୁଖ୍ୟମନ୍ତ୍ରୀ ମଞ୍ଚ ଉପରକୁ ଯାଇ ୯ଟା ସୁଦ୍ଧା ଜାତୀୟ ପତାକା ଉତ୍ତୋଳନ କରିବେ।
ପୁଲିସ ବ୍ୟାଣ୍ଡ-୧ ଓ ୨ ଦ୍ବାରା ଜାତୀୟ ସଙ୍ଗୀତ ପରିବେଷଣ କରାଯିବ। ଆଇପିଏସ୍ ଅଙ୍କିତ୍ କୁମାର ବର୍ମା ପରେଡ୍ର କମାଣ୍ଡରର ଦୟିତ୍ୱ ତୁଲାଇବେ। ଓଡ଼ିଶା ସ୍ପେସାଲ ଆର୍ମଡ୍ ପୁଲିସ (ଓଏସ୍ଏପି), ଓଡ୍ରାଫ୍, ଛତିଶଗଡ଼ ପୁଲିସ, ସ୍ପେସାଲ ସିକ୍ୟୁରିଟି ବାଟାଲିଅନ୍ର ୪ଟି ଟ୍ରୁପ ଦ୍ବାରା ପ୍ରଦର୍ଶିତ ପରେଡର ଅଭିବାଦନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ।
ସେଠାରୁ ମୁଖ୍ୟମନ୍ତ୍ରୀ ପଡ଼ିଆରେ ଆୟୋଜିତ ଫଟୋ ପ୍ରଦର୍ଶନୀ ଓ ‘ଅହିଂସା ରଥ’ ଉନ୍ମୋଚନ କରି ଫେରିଯିବେ। ସ୍ୱତନ୍ତ୍ର ଭାବେ ଅନୁମତି ତଥା ପାସ୍ ଥିବା ଅତିଥିମାନେ ଉତ୍ସବସ୍ଥଳକୁ ଯାଇପାରିବେ।
ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ସମୟରେ ଯେଭଳି କୌଣସି ପ୍ରକାର ଅପ୍ରୀତିକର ସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତର ସହ ନେଇଛି କମିସନରେଟ୍ ପୁଲିସ।
ଏଥିପାଇଁ ଆସନ୍ତା ୧୫ ତାରିଖ ସକାଳ ସାଢ଼େ ୬ଟାରୁ ସାଢ଼େ ୯ଟା ଯାଏଁ ପ୍ରଦର୍ଶନୀ ପଡ଼ିଆ ଚାରିପାଖ ସିଲ୍ କରାଯିବ। ଆଖପାଖ ରାସ୍ତାରେ ଯାତାୟତ ବନ୍ଦ ରହିବ। ଡିସିପିଙ୍କ ନେତୃତ୍ବରେ ୫ ଜଣ ଅତିରିକ୍ତ ଡିସିପି, ୮ଜଣ ଏସିପି, ୨୦ ଜଣ ଇନ୍ସପେକ୍ଟଙ୍କ ସମେତ ଶହେରୁ ଊର୍ଧ୍ବ ଅଧିକାରୀ ସୁରକ୍ଷା ଦାୟିତ୍ବରେ ରହିବେ। ସେହିପରି ୧୫ ପ୍ଲାଟୁନ୍ ଫୋର୍ସ, ସ୍ପେସାଲ ବ୍ରାଞ୍ଚ, ଗୁଇନ୍ଦା ସହ ୧ ୟୁନିଟ୍ ସ୍ପେସାଲ ଅପରେସନ ଗ୍ରୁପ (ଏସ୍ଓଜି), ଓଡ଼ିଶା ତ୍ୱରିତ କାର୍ଯ୍ୟବଳ (ଓସାଫ୍), କୁଇକ୍ ରିଆକ୍ସନ ଟିମ୍(କ୍ୟୁଆର୍ଟି), ସନ୍ଧାନୀ କୁକୁର, ବମ୍ ସ୍କ୍ୱାଡ୍, ସାଦା ପୋଷାକଧାରୀ ପୁଲିସ ମଧ୍ୟ ଉତ୍ସବ ସୁରକ୍ଷାରେ ରହିବେ।
ରାଜଭବନ, ଏଜି ଛକ ଓ ଅନ୍ୟ ସମ୍ବେଦନଶୀଳ ଜାଗାରେ ମଧ୍ୟ ପୁଲିସ ମୁତୟନ କରାଯିବ। ଏହାଛଡ଼ା ପ୍ରତିଟି ଦିଗ ଉପରେ ନଜର ରଖିବା ପାଇଁ ପଡ଼ିଆ ଭିତରେ ଓ ଚାରିପାଖେ ସିସି କ୍ୟାମେରା ଖଞ୍ଜାଯାଇଛି। ଗୋଟିଏ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି।
କଣ୍ଟ୍ରୋଲ୍ ରୁମ୍ରୁ ଅଧିକାରୀ ପଡ଼ିଆ ଓ ଆଖପାଖ ଅଞ୍ଚଳ ଉପରେ ନଜର ରଖିବେ। ଆଜି ସନ୍ଧାନୀ କୁକୁର ଓ ବମ୍ ସ୍କ୍ୱାଡ୍ ପଡି଼ଆକୁ ତନ୍ନତନ୍ନ କରି ଯାଞ୍ଚ କରିଛନ୍ତି। ସହରରେ ବିଭିନ୍ନ ହୋଟେଲ ଓ ଅନ୍ୟ ସମ୍ବେଦନଶୀଳ ପ୍ରତିଷ୍ଠାନ ଉପରେ ନଜର ରଖାଯାଇଛି।