ଥରହର ମଥୁରାନଗରୀ କମ୍ପୁଛି ମେଦିନୀ, କଂସ ମହାରାଜଙ୍କ ଆଦେଶରେ ଉପସ୍ଥିତ ହେଲେ କେନ୍ଦ୍ରମନ୍ତ୍ରୀ

ଧନୁଯାତ୍ରା ମହୋତ୍ସବ ପାଇଁ ଉତ୍ସବ ମୁଖର ବରଗଡ଼ ସହର । ଧନୁଯାତ୍ରା ମହୋତ୍ସବରେ ଦୈବବାଣୀ ଶୁଣି ମହାରାଜା କଂସ ଭୟଭୀତ । ପିତା ଉଗ୍ରସେନ ମହାରାଜାଙ୍କୁ ଗାଦିଚ୍ୟୁତ କରିବା ପରେ କଂସ ମହାରାଜାଙ୍କୁ କରାଯାଇଛି ରାଜଭିଷେକ । ଏହାପରେ ଭଉଣୀ ଦେବକୀ ଓ ରାଜା ବସୁଦେବଙ୍କୁ କାରାଗାରରେ ବନ୍ଦୀ କରିଛନ୍ତି । କାରାଗାରରେ ଦେବକୀଙ୍କ ଅଷ୍ଟମ ଗର୍ଭରେ ଜନ୍ମ ହୋଇଛନ୍ତି ଗୋଲକ ବିହାରୀ ଶ୍ରୀକୃଷ୍ଣ । ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ରାଜା ବସୁଦେବ ଗୋପପୁର ଯାତ୍ରା କରିଛନ୍ତି ଓ ସେଠାରୁ ବିଜୁଳି କନ୍ୟାକୁ ନେଇ ମଥୁରାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ରାଜା ବସୁଦେବ । ବିଜୁଳି କନ୍ୟାର ଦୈବବାଣୀକୁ ନେଇ ଭୟଭୀତ ହୋଇଛନ୍ତି ମହାରାଜା କଂସ । ଦୁର୍ମିଳାସୁରକୁ ବଧ କରିଛନ୍ତି ମହାରାଜା କଂସ ।

କମ୍ପୁଛି ମେଦିନୀ, ଥରହର ମଥୁରାନଗରୀ । ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବରେ ଦ୍ବିତୀୟ ରଜନୀରେ ଉଦଘାଟିତ ହୋଇଛି ରଙ୍ଗମହଲ । ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀ ରଙ୍ଗମହଲକୁ ଉଦଘାଟନ କରିଛନ୍ତି । ସେପଟେ ମହାରାଜା କଂସ ଦିଗବିଜୟରେ ବାହାରି ଟ୍ରାଫିକ ନିୟମ ଅବମାନନା କରିଥିବା ପ୍ରଜାଙ୍କୁ ଦେଇଛନ୍ତି ଦଣ୍ଡ । ରାଜଦରବାର ଓ ରଙ୍ଗମହଲରେ ଦୁଲଦୁଲି ବାଜା, ଘଣ୍ଟ, ଶଙ୍ଖ, ରସର କେଲି, ସମ୍ବଲପୁରୀ, ଆଦିବାସୀ ନୃତ୍ୟ ବାଦ୍ୟର ତାଳେ ତାଳେ ଝୁମିଛନ୍ତି ଦର୍ଶକ ଓ କଳାକାର । ସେପଟେ ରାଜଦରବାରରେ କାରାଗାରରେ ଶ୍ରୀକୃଷ୍ଣ ଜନ୍ମ, ଶ୍ରୀକୃଷ୍ଣଙ୍କୁ ନେଇ ବସୁଦେବଙ୍କ ଗୋପପୁର ଯାତ୍ରା, ଉଗ୍ରସେନଙ୍କ ସହ ଭେଟ, ବିଜୁଳି କନ୍ୟା ସହ ମଥୁରାକୁ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଧନୁଯାତ୍ରା ମହୋତ୍ସବର ଦ୍ବିତୀୟ ରଜନୀରେ ମହାରାଜା କଂସ ହାତୀ ପିଠିରେ ବସି ପାତ୍ର ମନ୍ତ୍ରୀଙ୍କ ସହ ମଥୁରା ନଗର ପରିଭ୍ରମଣ କରିଥିଲେ । ମହାରାଜା କଂସ ବିନା ହେଲିମେଟ ରେ ବାଇକ୍ ଚଳାଚଳ କରୁଥିବା ବ୍ୟକ୍ତି ମାନଙ୍କୁ ତାଗିଦ କରି ଫାଇନ କାଟିବା ସହ ଦିଗବିଜୟ ସମୟରେ ମହାରାଜା କଂସ ପ୍ରଜାଙ୍କୁ ଦଣ୍ଡଦେବା ଦୃଶ୍ୟ ବେଶ ଆକର୍ଷଣୀୟ ହୋଇଥିଲା । ସେପଟେ ମଥୁରାନଗରୀରେ ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟନ ହୋଇଥିଲା । ଧନୁଯାତ୍ରା ମହୋତ୍ସବ ରାଜଦରବାରରେ କଂସ ମହାରାଜଙ୍କ ନିମନ୍ତ୍ରଣ ରକ୍ଷା କରି ରାଜକୀୟ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ୍,ମନ୍ତ୍ରୀ ରବି ନାରାୟଣ ନାୟକ,ବିଧାୟକ ଇରାସିସ ଆଚାର୍ଯ୍ୟ, ଅଶ୍ଵିନୀ ଷଡଙ୍ଗୀ, ନିହାର ମହାନନ୍ଦ, ସନତ ଗଡତିଆ । ଉଦଘାଟନ ପରେ ମହାରାଜା କଂସ ରଙ୍ଗମହଲ ପରିଚାଳନା କରିବା ପାଇଁ ମହାମନ୍ତ୍ରୀ ସାର୍ତ୍ତକିଙ୍କୁ ଦେଇଛନ୍ତି ଦାୟିତ୍ବ । ରାଜଦରବାରରେ ଜମିଥିଲା ନୃତ୍ୟ ଗୀତର ଆସର ।

ଆଜି ମଥୁରା ନଗରୀରେ ଧନୁଯାତ୍ରା ମହୋତ୍ସବ ତୃତୀୟ ଦିନରେ କଂସ ମହାରାଜାଙ୍କ ଶ୍ୟାମେଶ୍ବର ମହାଦେବ ଦର୍ଶନ, କାରାଗୃହ ପ୍ରବେଶ, ବିଜୁଳି କନ୍ୟାକୁ ପ୍ରହାର, ଦୈବବାଣୀ, ରାଜଦରବାରରେ କଂସଙ୍କ ମନ୍ତ୍ରଣା ଓ ଗୋପପୁରରେ ନନ୍ଦ ଦରବାର ଉଦଘାଟନ, ନନ୍ଦୋତ୍ସବ, କୃଷ୍ଣଙ୍କ ଦୋଳି ଝୁଲା , ରାସନୃତ୍ୟ, ନଗର ସଂକୀର୍ତ୍ତନ ସହ କୃଷ୍ଣଙ୍କ ଗୋପପୁର ଭ୍ରମଣ ଆଦି ନାଟ୍ୟାଭିନୟ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *